ଇସଲାମାବାଦ,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପରେ ଗାଏବ ହୋଇଯାଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର। ତାଙ୍କ ବିଷୟରେ ଗଣମାଧ୍ୟମରେ ଏକ ଗରମ ଖବର ଆସିଛି ଯେ ବ୍ୟକ୍ତିଗତ ଜେଟ୍ ବ୍ୟବହାର କରି ତାଙ୍କ ପରିବାର ଦେଶ ଛାଡି ପଳାଇ ଯାଇଛନ୍ତି। କାରଣ ଗତ କିଛି ଦିନ ଧରି ମୁନିରଙ୍କୁ ଦେଖାଯାଉ ନାହାନ୍ତି। ତେବେ ମୁନିର ହେଉଛନ୍ତି ସେହି ପାକିସ୍ତାନୀ ଜେନେରାଲ ଯାହାଙ୍କ ବିବାଦୀୟ ବୟାନ ପରେ ପହଲଗାମ ଆକ୍ରମଣ ହୋଇଥିଲା। ଏବେ ଅସୀମ ମୁନୀର ହଠାତ ଗାଏବ ହୋଇଯାଇଛନ୍ତି। ଫଳରେ ସେ କେଉଁଠିକୁ ଯାଇଛନ୍ତି ତାହାକୁ ନେଇ ପ୍ରଶବାଚୀ ସୃଷ୍ଟି ହୋଇଛି।
ମୁନିରଙ୍କ ନିଖୋଜ ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଦାବି ସାମ୍ନାକୁ ଆସିଛି, କେତେକ କହୁଛନ୍ତି ଯେ ସେ ଦେଶ ଛାଡି ପଳାଇଛନ୍ତି। ଆଉ କେତେକ କହୁଛନ୍ତି ଯେ ପାକିସ୍ତାନ ସେନା ମୁଖ୍ୟ ନିଖୋଜ ହୋଇଯାଇଛନ୍ତି। ସେହିଭଳି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ରାୱଲପିଣ୍ଡିର ଏକ ବଙ୍କରରେ ଲୁଚିଥିବା ମଧ୍ୟ ରିପୋର୍ଟ ଆସିଛି। ଏହି ରିପୋର୍ଟ ପୂର୍ବରୁ ଚାଲୁଥିବା ଗୁଜବକୁ ଆହୁରି ଇନ୍ଧନ ଯୋଗାଇଛି, ଯାହାକି X ପ୍ଲାଟଫର୍ମରେ #MunirOut ହ୍ୟାସଟ୍ୟାଗ ସହିତ ଟ୍ରେଣ୍ଡ କରୁଛି।
ନିକଟରେ ସେ ଦେଇଥିବା ସାମ୍ପ୍ରତିକ ବିବାଦୀୟ ବୟାନ ସହ ଆତଙ୍କବାଦୀ ଆକ୍ରମଣକୁ ସିଧାସଳଖ ଯୋଡ଼ାଯାଉଛି। ହେଲେ ସେ ଏବେ କୌଣସି ବୟାନ କିମ୍ବା ଅନ୍ୟ କୌଣସି ସ୍ଥାନରେ ଦେଖାଯାଉନାହାନ୍ତି। ଏହାକୁ ନେଇ ଉତ୍ତେଜନା ମଧ୍ୟରେ ମୁନୀରଙ୍କ ଅନୁପସ୍ଥିତିକୁ ମଧ୍ୟ ପାକିସ୍ତାନର ଏକ ଚାଲ୍ କିମ୍ବା ରଣନୀତି ବୋଲି ବିବେଚନା କରାଯାଇପାରେ। ତେବେ ଏଭଳି ଭାବେ ଭାରତକୁ ଚିନ୍ତାରେ ପକାଇ ଲୁଚାରେ ଦେଶ ପ୍ରସ୍ତୁତି କରୁଥାଇପାରେ। ପାକିସ୍ତାନରୁ ଆସୁଥିବା ବୟାନଗୁଡ଼ିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଗୋଟିଏ ପଟେ ଏହାର ମନ୍ତ୍ରୀମାନେ ନିରନ୍ତର ଉତ୍ତେଜନାମୂଳକ ବୟାନ ଦେଉଛନ୍ତି, ଅନ୍ୟପଟେ ଏହା ଭାରତଠାରୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ଏଡାଇବା ପାଇଁ ଜାତିସଂଘ ସମେତ ବଡ଼ ବଡ଼ ଦେଶଗୁଡ଼ିକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି କରୁଛି।
କହି ରଖୁଛୁ, ପ୍ରବାସୀ ପାକିସ୍ତାନୀ ସମ୍ମିଳନୀରେ ଭାଷଣ ଦେବା ସମୟରେ ଅସୀମ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ବିଷ ଓଗାଳିଥିଲେ। ସେ କହିଥିଲେ, ’ପାକିସ୍ତାନର ଭବିଷ୍ୟତ ପୀଢ଼ିକୁ କହିବାକୁ ପଡିବ ଯେ ହିନ୍ଦୁ ଏବଂ ମୁସଲମାନ ଭିନ୍ନ।’ ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ। ଉଭୟଙ୍କ ଖାଦ୍ୟପେୟ, ଜୀବନଶୈଳୀ, ଧାର୍ମିକ ରୀତି ଭିନ୍ନ। ଏହି କାରଣରୁ ଦୁଇ-ରାଷ୍ଟ୍ର ତତ୍ତ୍ୱ ଅସ୍ତିତ୍ୱ ପାଇଲା। ସେ କହିଥିଲେ ଯେ କାଶ୍ମୀର ହେଉଛି ପାକିସ୍ତାନର ବେକର ଶିରା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ଯେ ପାକିସ୍ତାନ ଏକ ବଡ଼ ଆକ୍ରମଣ ଯୋଜନା କରୁଥିଲା।