ଭଞ୍ଜନଗର,୨୧/୭(ବାବୁଲା ପ୍ରଧାନ)-ଦେଶ ସ୍ବାଧୀନତା ଲାଭ କରିବାର ଇତିମଧ୍ୟରେ ୭୮ ବର୍ଷ ବିତିଗଲାଣି। କନ୍ଧମାଳ ଜିଲାବାସୀ ଏବଂ ଭଞ୍ଜନଗର ଉପଖଣ୍ଡବାସୀ ନିଜ ଅଞ୍ଚଳରେ ରେଳ ସେବା ଦେଖିନାହାନ୍ତି। ଆଗକୁ କେବେ ରେଳ ଲାଇନ ଦେଖିବେ ତାହା ମଧ୍ୟ ସଠିକ କିଛି ଜଣା ପଡୁନାହିଁ। ଉକ୍ତ ଅଞ୍ଚଳବାସୀ ରେଳ ଲାଇନ ପାଇଁ ଆଜିକୁ ବହୁବର୍ଷ ହେବ ଦାବି କରିଆସୁଛନ୍ତି। ଏନେଇ ବାରମ୍ବାର ଆନ୍ଦୋଳନ ମଧ୍ୟ ହେଉଛି। ସରକାର ପରେ ସରକାର ବଦଳୁଛି। କିନ୍ତୁ ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଇତିମଧ୍ୟରେ ସର୍ଭେ କାର୍ଯ୍ୟ ଚାଲିଛି। ସର୍ଭେ ସରିନାହିଁ। ସର୍ଭେ କାର୍ଯ୍ୟ ବିଳମ୍ବ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ଏଭଳି ପରିସ୍ଥିତିରେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ କିଭଳି ହୋଇପାରିବ ସେନେଇ ଆଲୋଚନା କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ସଂସଦୀୟ କ୍ଷେତ୍ର ଅଧିନରେ କନ୍ଧମାଳ, ବୌଦ୍ଧ ଜିଲା, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଛି । ଉକ୍ତ ଅଞ୍ଚଳର ସ୍ଥାୟୀ ଏବଂ ଚତୁର୍ମୁଖୀ ବିକାଶ ଉଦ୍ଦେଶ୍ୟରେ ଏମପି ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଏମପି ତାଙ୍କ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ଏହି ଅବସରରେ ସେ ଗୋପାଳପୁର ଭାୟା ଭଞ୍ଜନଗର ଫୁଲବାଣୀ ରେଢ଼ାଖୋଲ ରେଳ ଲାଇନ, ଉଡାଣ ଯୋଜନାରେ ଫୁଲବାଣୀକୁ ବିମାନ ସଂଯୋଗୀକରଣ, ଭଞ୍ଜନଗରରୁ କଳିଙ୍ଗା ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୯ର ପ୍ରଶସ୍ତୀକରଣ, କନ୍ଧମାଳ ଲୋକସଭାର ସମସ୍ତ ଦୁର୍ଗମ ଅଞ୍ଚଳକୁ ଟେଲିକମ ସେବା ଉପରେ ଆଲୋଚନା କରିଥିଲେ। ଏଥିସହ ସ୍ବାସ୍ଥ୍ୟ, ଶିକ୍ଷା, ପରିମଳ, ପାଇପଜଳ ଯୋଗାଣ, ସମସ୍ତ ବିଦ୍ୟୁତ ନ ଥିବା ଗ୍ରାମ ଗୁଡ଼ିକର ବିଦ୍ୟୁତୀକରଣ, ଜଳସେଚିତ ଅଞ୍ଚଳ ବୃଦ୍ଧି, ଜୀବିକା, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଭିତ୍ତିଭୂମି ସୁଦୃଢ଼ କରିବା ନେଇ ମଧ୍ୟ ଏମପି ପାଣିଗ୍ରାହୀ
ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି ।
ଏମପିଙ୍କ ଏହିଭଳି ପ୍ରସ୍ତାବକୁ ସାମାଜିକ କର୍ମୀ ସତ୍ୟ ପ୍ରିୟ ମହାନ୍ତି ସ୍ବାଗତ କରିଛନ୍ତି । ଏହାଦ୍ବାରା କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀର ବିକାଶ ହେବ। ଏଥିସହ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେଲେ ଲୋକଙ୍କ ଆର୍ଥିକ ମାନଦଣ୍ଡରେ ମଧ୍ୟ ଉନ୍ନତି ଆସିବ। ଅପରପକ୍ଷେ ଏନେଇ କଂଗ୍ରେସ ନେତା ଦେବୀ ବିଷୋୟୀଙ୍କୁ ପଚାରିବାରୁ ସେ ଏଠାରେ କହିଛନ୍ତି, ପ୍ରଥମେ ରେଳ ଲାଇନ ପାଇଁ ବଜେଟରେ ଅର୍ଥ ଅନୁମୋଦନ କରି ଜମି ଅଧିଗ୍ରହଣ କରନ୍ତୁ। ଫୁଲବାଣୀକୁ ବିମାନ ସଂଯୋଗ ଯୋଜନା ଭଲ ପଦକ୍ଷେପ । ଦେଖାଯାଉ ଏମପି କେବେ ଅଞ୍ଚଳବାସୀଙ୍କ ସପ୍ନ ପୂରଣ କରୁଛନ୍ତି।