ରକ୍ଷକ ଯେବେ ଭକ୍ଷକ ହୁଅନ୍ତି

ଦେଶ ସ୍ବାଧୀନ ହେବା ପୂର୍ବରୁ ଚାକିରିର ଉପର ପଦବୀରେ ପ୍ରାୟ ଇଂରେଜମାନେ ଥିବାରୁ ତାଙ୍କ ଅଧୀନରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିବିଚ୍ୟୁତି ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଥିଲା। ତେଣୁ କର୍ମଚାରୀ ବା ଅଧିକାରୀ ପଦବୀରେ ଥିବା ବ୍ୟକ୍ତି ସଚ୍ଚୋଟ ଏବଂ କର୍ମଦକ୍ଷ ଥିଲେ। ବର୍ତ୍ତମାନ ପରି ଏତେ ବିଭାଗ ବା କମିଶନ ନ ଥିଲା। ସେତେବେଳେ ଇଂରେଜ ସରକାରଙ୍କ ତତ୍ତ୍ୱାବଧାନରେ କିଛି ଗଡଜାତ ଶାସିତ ହେଉଥିଲା। ସେମାନଙ୍କଠାରୁ ଇଂରେଜ ସରକାର କିଛି ଅର୍ଥ ନେଉଥିବାରୁ ଗଡ଼ଜାତ ରାଜ୍ୟର ଜଙ୍ଗଲ, ନଦୀ, ଜମିରୁ ରାଜାମାନେ କର ଆଦାୟ କରୁଥିଲେ। ସରକାରୀ ଭାବରେ ରାସ୍ତା ନିର୍ମାଣ, ରାସ୍ତା କଡ଼ରେ ବୃକ୍ଷ ରୋପଣ, କୂଅ ପୋଖରୀ ଖନନ ସହ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେମାନେ ଧ୍ୟାନ ଦେଉଥିଲେ। ବଡ଼ କଥା ଥିଲା ମଠ ମନ୍ଦିର ପରିଚାଳନା। ରାଜାମାନେ ମଠ ମନ୍ଦିର ସମ୍ପତ୍ତିର ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖୁଥିଲେ। ଇତିହାସ କହେ ମୋଗଲ ସମ୍ରାଟ ଶେର ଶାହା ପ୍ରଥମେ ଜମିଜମାର ବନ୍ଦୋବସ୍ତ କରିଥିଲେ। ଇଂରେଜ ସରକାର ମଧ୍ୟ ଭୂସଂସ୍କାର ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ। ଜଙ୍ଗଲରୁ କେବଳ ଶୁଖିଲା କାଠ ଲୋକମାନେ ଆଣୁଥିଲେ। ଜଳାଶୟର ପାଣି ସମସ୍ତେ ବ୍ୟବହାର କଲେ ବି ଗଛ, ମାଛ ଉପରେ କର୍ତ୍ତୃତ୍ୱ ସମସ୍ତଙ୍କର ନ ଥିଲା। ଦେଶ ସ୍ବାଧୀନ ହେବା ପରେ ଲୋକମାନେ ନିଜେ ଶାସକ ନିଜେ ନାଗରିକ ଭାବରେ ଶାସନ ଖସଡ଼ା ପ୍ରସ୍ତୁତ ହେଲା । ସେଥିରେ ଶାସନ ପାଇଁ ଯେଉଁ ବିଭାଗ ସବୁ ସୃଷ୍ଟି କରାଗଲା ସମୟ କ୍ରମେ ସେଗୁଡ଼ିକ ତା’ର ରକ୍ଷକ ପରିବର୍ତ୍ତେ ଭକ୍ଷକ ସାଜିଲେ। ଉଦାହରଣ ସ୍ବରୂପ ଦେବୋତ୍ତର ବିଭାଗ ମଠ ମନ୍ଦିରର ପରିଚାଳନା ପାଇଁ ଉଦ୍ଦିଷ୍ଟ। କିନ୍ତୁ ଭୂସଂସ୍କାର ଓ ଜମିଦାରୀ ଉଚ୍ଛେଦରେ ଅନେକ ମଠବାଡି ସେମାନଙ୍କ ଜମି ହରାଇଲେ। ତା’ପରେ ଯାହା ବା ଜମି ରହିଲା ତାହା କିଛି ଜାଗାରେ ଜବରଦଖଲ ହେଲା। ତା’ପରେ ଜବରଦଖଲ ଉଚ୍ଛେଦ ପରିବର୍ତ୍ତେ ବହୁ ଏକର ଜମି ସେମାନଙ୍କୁ ଦେବୋତ୍ତର ଆୟୁକ୍ତଙ୍କ ଅନୁମୋଦନରେ ଶାଗମାଛ ଦରରେ ବିକ୍ରି କରିଦିଆଗଲା। ଜବରଦଖଲଠାରୁ ଜମି ହସ୍ତାନ୍ତର ଆଦି ସମସ୍ତ କାର୍ଯ୍ୟ ଆୟୁକ୍ତଙ୍କ କାର୍ଯ୍ୟାଳୟ ଜ୍ଞାତସାରରେ ହେଉଥିଲା। ମଠର କୋଠାବାଡ଼ି କିଛି ପ୍ରତିପତ୍ତିଶାଳୀ ଓ ଅସାମାଜିକ ବ୍ୟକ୍ତିଙ୍କ ଅକ୍ତିଆରକୁ ଚାଲିଗଲା। ଦେଶ ସ୍ବାଧୀନ ହେଲାବେଳେ ରାଜ୍ୟରେ ରହିଥିବା ବହୁ ହଜାର ମଠ ଏବେ ହାତଗଣତିରେ ରହିଥିବାବେଳେ କିଛି ମଠ ନାମକୁ ମାତ୍ର କାଗଜ କଲମରେ ସୀମିତ ରହିଛି। ପରେ ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତି ଭୂସଂସ୍କାର ମୁକ୍ତ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ମଠ ଓ ମନ୍ଦିର ସମ୍ପତ୍ତି କିଣି ଘର କରି ରହିଥିବା ବହୁ ହଜାର ବ୍ୟକ୍ତି ସମ୍ପତ୍ତିର ମାଲିକାନା ହରାଇଛନ୍ତି। କିନ୍ତୁ ସରକାର ବେଧଡକ ରହିଛନ୍ତି।
ଜଙ୍ଗଲ ବିଭାଗ କଥା ନ କହିବା ଭଲ। ଜଙ୍ଗଲ ସୁରକ୍ଷା ନାମରେ ରୀତିମତ ଜଙ୍ଗଲ ଲୁଟି ହେବାସହ ଜଙ୍ଗଲ ସୃଷ୍ଟି କେବଳ କାଗଜକଲମରେ ସୀମିତ ରହିଛି। ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣରେ ଯେତେ ଗଛର ତାଲିକା ଉପଲବ୍ଧ ଅଛି ତାହା ସତ୍ୟ ହୋଇଥିଲେ ଆଜି ରାଜ୍ୟ ସାରା ଜଙ୍ଗଲ ହୋଇଯାଇଥାନ୍ତା, କିନ୍ତୁ ମୂଲ୍ୟବାନ ଗଛ ଲୁଟି, ଜଙ୍ଗଲ କ୍ଷୟ ସହ ଜଙ୍ଗଲ ଜାତୀୟ ଜମି ପରିମାଣ ହ୍ରାସ ହୋଇ ଚାଲିଛି । ଅପରପକ୍ଷରେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସମ୍ପତ୍ତି ବୃଦ୍ଧି ହୋଇଛି। ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ରହିଛି। ଇଂରେଜ ଶାସନ ସମୟରେ ଅପରାଧ କରିବାକୁ ଲୋକମାନେ ଭୟ କରୁଥିଲେ। ଏବେ ବଡ଼ବଡ଼ ଅପରାଧ ସମାଜର ଉପର ସ୍ତରର ବ୍ୟକ୍ତିଙ୍କ ଦ୍ୱାରା ହେଉଛି ଏବଂ ସେମାନେ ସୁରକ୍ଷିତ ରହୁଛନ୍ତି।
ରାଜରାଜୁଡ଼ା ସମୟରେ ବିଚାର ତତ୍କାଳ ହେଉଥିବାରୁ ପ୍ରଜାମାନେ ଖୁସି ଥିଲେ। ଇଂରେଜ ଶାସନରେ ଅପରାଧ ସଂହିତା ତିଆରି କରାଯାଇ ମାମଲା ବିଚାର ପାଇଁ ଅଦାଲତ ସୃଷ୍ଟି କରାଗଲା। କିନ୍ତୁ ଆଇନ ସମଗ୍ର ବିଚାର ପାଇଁ ସମାନ ଓ ଅପରିବର୍ତ୍ତିତ ରହିଥିବା ବେଳେ କିଛି ନାମୀଦାମୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ବିଚାର ପ୍ରକ୍ରିୟାକୁ ଭିନ୍ନ ରୂପ ଦେବା ସାଧାରଣ ଘଟଣା ହୋଇଯାଇଛି। ନିମ୍ନ ଅଦାଲତ ଦଣ୍ଡ ଅନେକ ସମୟରେ ଉଚ୍ଚ ବା ସର୍ବୋଚ୍ଚ ନ୍ୟାୟାଳୟରେ ବଦଳି ଯାଉଛି। ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ ବୋଲି ଯେଉଁମାନେ କୁହନ୍ତି ସେମାନଙ୍କ ପାଇଁ ମାମଲା କିଛି ଦଶନ୍ଧି ମଧ୍ୟରେ ମଧ୍ୟ ଫଇସଲା ହୁଏନାହିଁ। ଲମ୍ବା ବିଚାର ପ୍ରକ୍ରିୟାରେ ଏବେ ବି କୌଣସି ପକ୍ଷର ତୃତୀୟ ପିଢ଼ି ମଧ୍ୟ ପୂର୍ବ ମାମଲା ଲଢ଼ୁଥିବା ଜଣାଯାଇଛି। କିନ୍ତୁ କେହି ଉତ୍ତରଦାୟୀ ହେଉନାହାନ୍ତି।
ଉଚ୍ଚ ଶିକ୍ଷା ବିଭାଗ ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଗଠନ କରାଗଲା। ଅଧ୍ୟାପନା ବୃତ୍ତିକୁ ଆକର୍ଷିତ ପାଇଁ ସର୍ବୋଚ୍ଚ ହାରରେ ଦରମା ସୁପାରିସ କରାଯାଇ ଗବେଷଣାକୁ ପ୍ରାଧାନ୍ୟ ଦିଆଗଲା। କିନ୍ତୁ ଆଇନର ଗଳାବାଟ ସୃଷ୍ଟି କରାଯାଇ ଯେଉଁମାନେ ସେଇ ଦରମା ପାଇଲେ ସେମାନଙ୍କ ମଧ୍ୟରୁ ସରକାରଙ୍କୁ ପରାମର୍ଶ ଦେବା ବା ଗବେଷଣା କରିବା ଅଧ୍ୟାପକଙ୍କ ସଂଖ୍ୟା ସୀମିତ ରହିଲା। ପରେ କେତେକ ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ଦିଆଗଲା। ଫଳତଃ ବିଶ୍ବବିଦ୍ୟାଳୟ ଅଧୀନରେ ହେଉଥିବା ପରୀକ୍ଷାରେ ଷାଠିଏ ଶତାଂଶ ସଫଳତା ହାର ସ୍ବୟଂଶାସିତ ମାନ୍ୟତା ପରେ ପଞ୍ଚାନବେ ଶତାଂଶ ହୋଇଗଲା।
ରାଜ୍ୟର ଆୟ ବୃଦ୍ଧି ପାଇଁ ରାଜସ୍ବ ଓ ଅବକାରୀ ବିଭାଗ ରହିଛି। ଜମିଜମା ସମ୍ବନ୍ଧୀୟ ସମସ୍ୟା ସହ ଖଣି ଲଘୁ ଖଣିଜ ଦ୍ରବ୍ୟର ସୁପରିଚାଳନା ଏହି ବିଭାଗରେ ଦାୟିତ୍ୱ ହୋଇଥିବାବେଳେ ଏଯାବତ କୌଣସି ଅଞ୍ଚଳର ଜମି ମାମଲା ମୁକ୍ତ ହୋଇପାରିନାହିଁ। ଗୋଟିଏ ଗୋଟିଏ ମୌଜାର ବନ୍ଦୋବସ୍ତ ଚାଳିଶ ବର୍ଷରେ ବି ପୂର୍ଣ୍ଣାଙ୍ଗ ହୋଇନାହିଁ। ବରଂ ଲଘୁ ଖଣିଜ ବିଶେଷତଃ ବିଭିନ୍ନ ନଦୀବାଲି, ମୋରମ, ଗ୍ରାନାଇଟ ଅବାଧ ଚୋରାଚାଲାଣ ହୋଇଚାଲିଛି। ଖଣି ଲୁଟିର ଉଚ୍ଚସ୍ତରୀୟ ତଦନ୍ତ ସତ୍ତ୍ୱେ ଲୁଟକାରୀମାନେ ଯଥେଷ୍ଟ ନିରାପଦରେ ଅଛନ୍ତି। କିନ୍ତୁ ରାଜସ୍ବ ବିଭାଗର ତଳଠାରୁ ଉପର ସ୍ତରର ବ୍ୟକ୍ତିମାନେ ଆରାମରେ ଚାକିରି କରି ଅବସର ନେଉଛନ୍ତି। ଅବକାରୀ ବିଭାଗ ନିଜେ ଅର୍ଥ ନିଶାସକ୍ତ ହୋଇଥିବା ମନେହୁଏ। ସମସ୍ତ ସାମାଜିକ ଅସଂଗତି ସୃଷ୍ଟିକାରୀ ମଦ ଆମ ରାଜ୍ୟରେ କାୟାବିସ୍ତାର କରିଥିବାବେଳେ ଭାଙ୍ଗ ଗଞ୍ଜେଇ ନିଷିଦ୍ଧ ହୋଇଛି। ଫଳରେ ହେରୋଇନ, ଚରସ ଭଳି ଉତ୍କଟ ନିଶା ସହର ଛାଡି ଗାଁମାନଙ୍କରେ ପ୍ରବେଶ କରୁଛି। ଏହାର ଧରପଗଡ ଯେତେ ହେଲେ ବି ମୂଳ ରପ୍ତାନି ପାଖରେ ବିଭାଗ ଅପହଞ୍ଚ ହେଉଛି। ତା’ର ପ୍ରତିବଦଳରେ ମାସିକ ବଟି ଏକ ଅଘୋଷିତ ନିୟମ ହୋଇଯାଇଛି । ସ୍ବାଧୀନତା ପରେ ସୃଷ୍ଟି ହୋଇଥିବା ଜଳସେଚନ ବିଭାଗ ଯଦି ବାର୍ଷିକ ନିର୍ଦ୍ଦିଷ୍ଟ ଜଳସେଚନ ଲକ୍ଷ୍ୟ ପୂରଣ କରିଥାନ୍ତା ତେବେ ରାଜ୍ୟରେ ଏକଇଞ୍ଚ ଅଣ ଜଳସେଚିତ ଜମି ନ ଥାନ୍ତା।
ଅନେକ ବ୍ୟକ୍ତିଙ୍କୁ କୋଟିପତି କରାଇଥିବା ବିଭାଗ ହେଉଛି ବିଜୁଳି ଶକ୍ତି ବିଭାଗ। ତାହାକୁ କିଛି ବିଦେଶୀ ସଂସ୍ଥା ଲୁଟି କରି ଚାଲିଯାଆନ୍ତି। କିନ୍ତୁ ଚଡ଼କ ପଡ଼ୁଛି ଉପଭୋକ୍ତାଙ୍କ ମୁଣ୍ଡରେ। ବର୍ତ୍ତମାନର ସଂସ୍ଥା ଯେଉଁ ଲୁଟି ଯୋଜନା କରିଛି ତା’ ପଛରେ ସରକାରଙ୍କ ସମର୍ଥନ ଥିବା ସମସ୍ତେ ଜାଣନ୍ତି। ଏବେ ସାଧାରଣ ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ଥିବା ସ୍ବାସ୍ଥ୍ୟ ବିଭାଗର ସବୁବେଳେ ଜନସାଧାରଣଙ୍କ ପ୍ରତି ଅସ୍ବାସ୍ଥ୍ୟକର ମନୋଭାବ କିଛି ଘରୋଇ ଡାକ୍ତରଖାନାରେ ଅର୍ଥ ଲୁଟ ପାଇଁ ବାଟ ପରିଷ୍କାର କରୁଛି। ତେଣୁ ରାଜ୍ୟର ପ୍ରଗତି ପାଇଁ ଥିବା ସମସ୍ତ ବିଭାଗ ରକ୍ଷକ ପରିବର୍ତ୍ତେ ଭକ୍ଷକ ସାଜୁଛନ୍ତି।

ହରିଶଙ୍କର ମିଶ୍ର
୧୧୩, ଗୁଣ୍ଡିଚା ବିହାର, ପୁରୀ
ମୋ:୭୯୭୮୭୮୫୪୭୮