”୧୧ ବର୍ଷରେ ଘର ଛାଡ଼ିଥିଲି”, ପିତାମାତାଙ୍କ ସହ ତିକ୍ତ ସମ୍ପର୍କ ବିଷୟରେ ମୁହଁ ଖୋଲିଲେ ଦିଲଜିତ୍ ଦୋସାଞ୍ଜ

ମୁମ୍ବାଇ,୧।୧୨: ପ୍ରସିଦ୍ଧ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ନିକଟରେ ତାଙ୍କ ପିତାମାତାଙ୍କ ସହ ଥିବା ତାଙ୍କର ଦୂରତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିବାବେଳେ ପିତାମାତା ତାଙ୍କୁ ନ ପଚାରି ଲୁଧିଆନାରେ ତାଙ୍କ ମାମୁଁଙ୍କ ପାଖକୁ ପଠାଇ ଦେଇଥିଲେ।

ଦିଲଜିତ୍ ଏକ ସାକ୍ଷାତକାରରେ କହିଛନ୍ତି, ପିଲାଦିନେ “ଖାଦ୍ୟ, ଆଶ୍ରୟ ଏବଂ ପାଠପଢ଼ା” ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କୁ ଗାଁ ଛାଡ଼ି ସହରକୁ ଯିବାକୁ ପଡ଼ିଥିଲା। ସେ କହିଛନ୍ତି, “ମୋ ମାମୁଁ ମୋତେ ସହରକୁ ନେଇଯିବା ପାଇଁ କହିଲେ ଏବଂ ମୋ ବାପାମା’ ସାଙ୍ଗେ ସାଙ୍ଗେ ହଁ କରିଦେଲେ। ସେମାନେ ମୋତେ ଥରୁଟିଏ ବି ପଚାରି ନଥିଲେ।”

ସେଠାରେ ସେ ଏକ ଛୋଟ ରୁମରେ ଏକୁଟିଆ ରହୁଥିଲେ ଏବଂ ତାଙ୍କ ପାଖରେ ଟିଭି କିମ୍ବା ମୋବାଇଲ୍ ଫୋନ୍ ନଥିଲା। ଘରକୁ ଫୋନ୍ କରିବାରେ ଖର୍ଚ୍ଚ ହେଉଥିବାରୁ ଧୀରେ ଧୀରେ ସେ ପରିବାରଠାରୁ ଦୂରେଇ ଯାଇଥିଲେ।

ଦିଲଜିତ୍ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ମା’ଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ ବାପା ଜଣେ ଭଲ ଲୋକ। ତେବେ ଏହି ଘଟଣା ଯୋଗୁଁ ତାଙ୍କର କେବଳ ପିତାମାତାଙ୍କ ସହ ନୁହେଁ, ସମସ୍ତଙ୍କ ସହିତ ସମ୍ପର୍କରେ ତିକ୍ତତା ଆସିଯାଇଥିଲା।

ସୂଚନାଯୋଗ୍ୟ ଯେ, ୧୯୮୪ରେ ଦୋସାଞ୍ଜ କାଲାଁ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦିଲ୍ଜିତ୍ ଦୋସାଞ୍ଜ ଗତ ବର୍ଷ କୋଚେଲା ମ୍ୟୁଜିକ୍ ଫେଷ୍ଟିଭାଲରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ପରେ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।