ନୂଆଦିଲ୍ଲୀ,୨୦।୧୧: ଆସନ୍ତା ମାସରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ମସ୍କୋ ନୂଆଦିଲ୍ଲୀକୁ ଏକ ବଡ଼ ସାମରିକ ପ୍ରସ୍ତାବ ଦେଇଛି। ରୁଷିଆ ଭାରତକୁ ତାହାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧ ବିମାନ ‘Su-57’ ପାଇଁ ସମସ୍ତ ପ୍ରଯୁକ୍ତିବିଦ୍ୟା ବିନା କୌଣସି କଟକଣାରେ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛି।
ରୁଷ ସରକାରୀ ପ୍ରତିରକ୍ଷା କମ୍ପାନୀ ‘ରୋଷ୍ଟେକ୍’ର ସିଇଓ ସର୍ଗେ ଚେମେଜୋଭ କହିଛନ୍ତି ଯେ, ଏହି ପ୍ରସ୍ତାବରେ ଇଞ୍ଜିନ୍, ସେନ୍ସର, ଷ୍ଟେଲଥ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉପକରଣର ଉତ୍ପାଦନ ସମେତ ସମଗ୍ର ୫ମ ପିଢ଼ିର ଇକୋସିଷ୍ଟମକୁ ଭାରତ ପାଇଁ ଖୋଲିବାକୁ ପ୍ରସ୍ତୁତ ଅଛି।
ପ୍ରାରମ୍ଭରେ ରୁଷରେ ଉତ୍ପାଦିତ Su-57 ବିମାନ ଯୋଗାଇ ଦିଆଯିବ ଏବଂ ପର୍ଯ୍ୟାୟକ୍ରମେ ଏହାର ଉତ୍ପାଦନ ଭାରତକୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି। Su-57 ବ୍ୟତୀତ, ମସ୍କୋ ଭାରତକୁ ଏହାର ଏକକ-ଇଞ୍ଜିନ ବିଶିଷ୍ଟ ଷ୍ଟେଲଥ୍ ଯୁଦ୍ଧ ବିମାନ Su-75 ‘ଚେକମେଟ୍’ ମଧ୍ୟ ପ୍ରସ୍ତାବ ଦେଇପାରେ ବୋଲି ରିପୋର୍ଟରୁ ଜଣାପଡିଛି।
ଦୁବାଇ ଏୟାର ଶୋ’ ୨୦୨୫ ଅବସରରେ ଚେମେଜୋଭ କହିଛନ୍ତି, “ଭାରତ ଓ ରୁଷ ବର୍ଷ ବର୍ଷ ଧରି ସହଯୋଗୀ ଅଟନ୍ତି। ସୁରକ୍ଷା ପାଇଁ ଭାରତର ଯାହା ଆବଶ୍ୟକ, ଆମେ ତାହା ଯୋଗାଇ ଦେବାକୁ ପ୍ରସ୍ତୁତ। ଭାରତ ପକ୍ଷରୁ ଟେକ୍ନୋଲୋଜି ସମ୍ବନ୍ଧୀୟ ଯେକୌଣସି ଦାବି ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ ହେବ।”
ରୁଷ ରାଷ୍ଟ୍ରପତି ପୁଟିନ ଡିସେମ୍ବର ମାସରେ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଗସ୍ତ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଘୋଷଣା ହେବାର ଆଶା କରାଯାଉଛି।