ନୂଆଦିଲ୍ଲୀ,୩୦।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଭୋଜପୁରୀ ଗାୟକ ତଥା ଅଭିନେତାରୁ ରାଜନେତା ହୋଇଥିବା ପବନ ସିଂହ ମଙ୍ଗଳବାର ଦିନ ପୁନର୍ବାର ରାଜନୈତିକ ଗୋଟି ଚଳାଇଛନ୍ତି। ସେ ଏନଡିଏର ସହଯୋଗୀ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର କୁଶୱାହାଙ୍କୁ ଭେଟିଛନ୍ତି। ଏହାପରେ ସେ ସିଧାସଳଖ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯାଇଥିଲେ, ଯେଉଁଠାରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଯାହାକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ପବନ ସିଂହ ଆରା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି।
କହିରଖୁଛୁ ଯେ, ଗତ ବର୍ଷ ଭାରତୀୟ ଜନତା ପାର୍ଟି (ଭାଜପା) ପବନ ସିଂହଙ୍କୁ ଦଳରୁ ବହିଷ୍କାର କରିଥିଲା । କାରଣ ସେ ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶୱାହାଙ୍କ ବିରୁଦ୍ଧରେ କାରାକାଟ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ପବନ ସିଂହଙ୍କ କାରଣରୁ କୁଶୱାହାଙ୍କର ବଡ଼ ପରାଜୟ ହୋଇଥିଲା ଏବଂ ସେ ଭୋଟ ପାଇବା କ୍ଷେତ୍ରରେ ତୃତୀୟ ସ୍ଥାନକୁ ଖସି ଯାଇଥିଲେ। ଏବେ ପବନ ସିଂହ କୁଶୱାହାଙ୍କ ସହ ମନମାଳିନ୍ୟ ଦୂର କରିବାକୁ ଚେଷ୍ଟା କରିଛନ୍ତି। ଏହି ଭେଟ ପରେ ବିହାରର ଭାଜପା ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି ଯେ ପବନ ସିଂହ ଭାଜପାରେ ଥିଲେ, ଭାଜପାରେ ଅଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ରହିବେ। ସେ ଆଗାମୀ ବିହାର ନିର୍ବାଚନରେ ଭାଜପା ଏବଂ ଏନଡିଏ ପାଇଁ ପ୍ରଚାର କରିବେ।
ଭାଜପା ୨୦୨୪ ଲୋକ ସଭା ନିର୍ବାଚନରେ ପବନ ସିଂହଙ୍କୁ ପଶ୍ଚିମବଙ୍ଗର ଆସନସୋଲରୁ ଟିକେଟ ଦେଇଥିଲା, କିନ୍ତୁ ସେ ନିର୍ବାଚନରୁ ନିଜ ନାମ ପ୍ରତ୍ୟାହାର କରି ନେଇଥିଲେ। ଏହା ପରେ ସେ ବାଗୀ ମନୋଭାବ ଗ୍ରହଣ କରିଥିଲେ ଏବଂ କାରାକାଟ ଲୋକ ସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି କାର୍ଯ୍ୟରେ ଖପ୍ପା ହୋଇ ଭାଜପା ତାଙ୍କୁ ଦଳରୁ ବହିଷ୍କାର କରିଥିଲା କାରଣ ଏହି ଆସନ ଭାଜପା ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶୱାହାଙ୍କ ପାଇଁ ନିିର୍ଦ୍ଧାରିତ କରିଥିଲା। ଦଳୀୟ ନୀତି ବିରୁଦ୍ଧରେ ଯିବା କାରଣରୁ ପବନ ସିଂହଙ୍କୁ ଭାଜପାରୁ ବାହାର କରାଯାଇଥିଲା।
ଏବେ ବିଧାନସଭା ନିର୍ବାଚନ ପୂର୍ବରୁ ପବନ ସିଂ ପୁଣିଥରେ ସକ୍ରିୟ ହୋଇଛନ୍ତି। ଏଣୁ ସେ ଭାଜପା ଟିକେଟରେ ବିହାରରେ ନିଜର ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ସେହିଭଳି କୁଶଓ୍ବାହାଙ୍କୁ ଭେଟିବା ପରେ ପବନ ସିଂହ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ବୈଠକ ପରେ ପବନଙ୍କୁ ପୁଣିଥରେ ଭାଜପାରେ ଯୋଗଦେବେ କି ବୋଲି ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ ଯେ ଭାଜପାରୁ ଅଲଗା କେବେ ହୋଇଥିଲି, ଭାଜପା ସହ ରହିଆସିଛି।