ନୂଆଦିଲ୍ଲୀ,୧୯।୨: ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା ମାଗଣା ସୁବିଧା ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।
ତାମିଲନାଡୁ ବିଦ୍ୟୁତ ବିତରଣ କମ୍ପାନୀ ଦ୍ୱାରା ଦାୟର ଏକ ପିଟିସନର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ତାମିଲନାଡୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ହଠାତ ବିନା କୌଣସି ଆର୍ଥିକ ଯୋଜନାରେ ମାଗଣା ବିଦ୍ୟୁତ ଯୋଜନା କାହିଁକି ଘୋଷଣା କରାଗଲା ବୋଲି କୋର୍ଟ ପଚାରିଛନ୍ତି। ଏହାଦ୍ୱାରା ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ବଜେଟ ଏବଂ ଶୁଳ୍କ ନିର୍ଧାରଣ ପ୍ରକ୍ରିୟା ବିପର୍ଯ୍ୟସ୍ତ ହେଉଥିବା କୋର୍ଟ ଅନୁଭବ କରିଛନ୍ତି।
କୋର୍ଟ କହିଛନ୍ତି, “ଯଦି ସରକାର ସିଧାସଳଖ ନଗଦ ଟଙ୍କା ବାଣ୍ଟିବେ, ତେବେ ଲୋକମାନେ କାମ କରିବେ କାହିଁକି? ଏହା ଦ୍ୱାରା ଦେଶର କର୍ମ ସଂସ୍କୃତି ନଷ୍ଟ ହେବ।” ମାଗଣା ବିଦ୍ୟୁତ, ଟଙ୍କା ବା ଅନ୍ୟାନ୍ୟ ସୁବିଧା ଯୋଗାଇଲେ ଏହାର ପ୍ରକୃତ ବୋଝ ସାଧାରଣ ଟିକସଦାତାଙ୍କ ଉପରେ ହିଁ ପଡ଼ିବ। ଅଧିକାଂଶ ରାଜ୍ୟ ପୂର୍ବରୁ ରାଜସ୍ୱ ନିଅଣ୍ଟ ସହ ସଂଘର୍ଷ କରୁଥିବା ବେଳେ, ବିନା ଯୋଜନାରେ ଏତେ ବଡ଼ ସବସିଡି କିଭଳି ଦିଆଯାଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଯେଉଁମାନେ ଶିକ୍ଷା ବା ମୌଳିକ ସୁବିଧା ପାଇବାକୁ ଅସମର୍ଥ ସେମାନଙ୍କୁ ସାହାଯ୍ୟ କରିବା ରାଜ୍ୟର କର୍ତ୍ତବ୍ୟ। କିନ୍ତୁ ଜଣେ ବଡ଼ ଜମିଦାର ମଧ୍ୟ ଯଦି ମାଗଣା ବିଦ୍ୟୁତ ବ୍ୟବହାର କରୁଛନ୍ତି, ତେବେ ଏହାକୁ ପୁନର୍ବିଚାର କରିବାର ସମୟ ଆସିଛି।
ନିର୍ବାଚନର ଠିକ ପୂର୍ବରୁ ଏଭଳି ଯୋଜନା ଘୋଷଣା କରିବା ଏକ ପ୍ରକାରର “ତୁଷ୍ଟୀକରଣ ରାଜନୀତି” ବୋଲି କୋର୍ଟ ଅଭିହିତ କରିଛନ୍ତି। ସମସ୍ତ ରାଜନୈତିକ ଦଳ ଏବଂ ସମାଜବିଜ୍ଞାନୀମାନେ ଏହି ସଂସ୍କୃତି ଉପରେ ପୁନର୍ବିଚାର କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।