‘ରୋମିଓ-ଜୁଲିଏଟ୍’ କ୍ଲଜ୍ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ସହମତିରେ ପ୍ରେମ ସମ୍ପର୍କ…

ନୂଆଦିଲ୍ଲୀ,୧୨ା୧: ପକ୍ସୋ ଆଇନର ଅପବ୍ୟବହାର ରୋକିବା ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। କିଶୋର ବୟସରେ ପରସ୍ପର ସହମତିରେ ଗଢ଼ିଉଠୁଥିବା ପ୍ରେମ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାଦ୍ ଦେବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ‘ରୋମିଓ-ଜୁଲିଏଟ୍’ କ୍ଲଜ୍ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍.କେ. ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପକ୍ସୋ ଆଇନର ବ୍ୟାପକ ଅପବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଅନେକ ସମୟରେ ପରିବାର ଲୋକେ ପ୍ରେମ ସମ୍ପର୍କକୁ ବିରୋଧ କରି ପ୍ରତିଶୋଧ ପରାୟଣ ହୋଇ ଏହି ଆଇନର ସାହାଯ୍ୟ ନେଉଛନ୍ତି, ଯାହାଦ୍ୱାରା କିଶୋରମାନେ ଅଯଥା ଅପରାଧୀ ପାଲଟି ଯାଉଛନ୍ତି।

କ’ଣ ଏହି ‘ରୋମିଓ-ଜୁଲିଏଟ୍’ କ୍ଲଜ୍?
ଏହା ଏକ ଆଇନଗତ ବ୍ୟବସ୍ଥା, ଯାହା ସମାନ ବୟସ କିମ୍ବା ସ୍ୱଳ୍ପ ବୟସ ବ୍ୟବଧାନ ଥିବା କିଶୋର-କିଶୋରୀଙ୍କ ମଧ୍ୟରେ ସହମତି ଭିତ୍ତିକ ସମ୍ପର୍କକୁ ସୁରକ୍ଷା ପ୍ରଦାନ କରିବ। ଯଦି ଉଭୟଙ୍କ ମଧ୍ୟରେ ବୟସ ବ୍ୟବଧାନ କମ୍ (ସାଧାରଣତଃ ୨ ରୁ ୫ ବର୍ଷ) ଥାଏ, ତେବେ ଏହାକୁ ‘ବଳାତ୍କାର’ ଭଳି ସଙ୍ଗୀନ ଅପରାଧ ଭାବେ ବିଚାର ନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଶେକ୍ସପିୟରଙ୍କ ପ୍ରସିଦ୍ଧ ନାଟକ ‘ରୋମିଓ ଏବଂ ଜୁଲିଏଟ୍’ର ନାମ ଅନୁସାରେ ଏହି କ୍ଲଜ୍‌ର ନାମକରଣ ହୋଇଛି, ଯାହା ପ୍ରଥମେ ଆମେରିକାରେ ପ୍ରଚଳନ କରାଯାଇଥିଲା। ଭାରତରେ ସହମତି ପାଇଁ ବୈଧ ବୟସ ୧୮ ବର୍ଷ ରହିଛି। ଯଦି ୧୮ ବର୍ଷରୁ କମ୍ କେହି ସହମତିରେ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ଏହାକୁ ଆଇନ ଅନୁସାରେ ବଳାତ୍କାର ଭାବେ ଗ୍ରହଣ କରାଯାଏ।

ଏକ ରିପୋର୍ଟ ଅନୁସାରେ, ପକ୍ସୋ ଆଇନରେ ପଞ୍ଜୀକୃତ ପ୍ରାୟ ୨୪.୩% ମାମଲା କିଶୋରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଜନିତ ଏବଂ ଏଥିରୁ ୮୦% ମାମଲା କେବଳ ଝିଅର ପରିବାର ଲୋକଙ୍କ ଦ୍ୱାରା ରୁଜୁ କରାଯାଇଛି।

ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଅନୁସାରେ, ଯଦି କୌଣସି କିଶୋରର ବୟସ ଅତିକମରେ ୧୬ ବର୍ଷ ହୋଇଥିବ ଏବଂ ଅନ୍ୟ ପକ୍ଷ ସହ ବୟସ ବ୍ୟବଧାନ ୩ ବର୍ଷରୁ କମ୍ ହୋଇଥିବ, ତେବେ ଏହାକୁ ଅପରାଧିକ ମାମଲା ଭାବେ ବିଚାର କରାଯିବ ନାହିଁ।

Share