Categories: HomeHome Middle

ବିଚାରପତି ବି ଆର୍‌ ଗଭାଇଙ୍କ ପରିବାରର କଂଗ୍ରେସ ସହ କ’ଣ ସମ୍ପର୍କ? ଆସନ୍ତାକାଲି ହେବେ ଦେଶର ଦ୍ୱିତୀୟ ଦଳିତ CJI

ନୂଆଦିଲ୍ଲୀ,୧୩।୫: ସୁପ୍ରିମକୋର୍ଟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ(ବି ଆର୍‌ ଗଭାଇ) ମେ’ ୧୪ ତାରିଖରେ ଭାରତର ୫୨ତମ ମୁଖ୍ୟ ବିଚାରପତି(CJI) ଭାବେ ଶପଥ ଗ୍ରହଣ କରିବେ। ଏହାପରେ ସେ ଗଣତନ୍ତ୍ର ଇତିହାସରେ ଭାରତୀୟ ନ୍ୟାୟପାଳିକାର ଶୀର୍ଷରେ ପହଞ୍ଚିଥିବା ଦ୍ୱିତୀୟ ଦଳିତ ମୁଖ୍ୟ ବିଚାରପତି ପାଲଟିବେ। ସେ ସର୍ବଦା ଭାରତର ସମ୍ବିଧାନର ମହାନତା ବିଷୟରେ ଚର୍ଚ୍ଚା କରି ଆସିଛନ୍ତି।
ଗତ ବର୍ଷ ଗଭାଇ ନିଜର ଭାଷଣରେ କହିଥିଲେ ଯେ, ସେ ନୂଆଁଣିଆ ଚାଳଘରୁ ବାହାରି ଏହି ପଦ ଯାଏ ପହଞ୍ଚିବା ସହଜ ନ ଥିଲା। ହେଲେ ଡା. ବି ଆର୍‌ ଆମ୍ବେଦକରଙ୍କ ପ୍ରଚେଷ୍ଟା ଯୋଗୁ ତାହା  ସମ୍ଭବ ହୋଇଛି। ଏପରିକି ସେ ‘ଜୟ ଭୀମ’ ସ୍ଲୋଗାନ ସହ ନିଜର ଭାଷଣ ଶେଷ କରିଥିଲେ।
ବିଚାରପତି ଗଭାଇଙ୍କ ପରିବାର କଂଗ୍ରେସ ଦଳକୁ ସମର୍ଥନ ଦେଇ ଆସିଛି। ସେ ଏହି କଥାକୁ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି। ଏପରିକି ୨୦୨୩ ଜୁଲାଇରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଜଡ଼ିତ ଏକ ମାମଲରୁ ନିଜକୁ ଦୂରେଇ ରଖିବାକୁ ଦାବି କରିଥିଲେ।
ବିଚାରପତି ଗଭାଇ କହିଥିଲେ ଯେ, ମୋ ବାପା କଂଗ୍ରେସର ସଦସ୍ୟ ନ ଥିଲେ, ହେଲେ ସେ ନିକଟରୁ ଦଳ ସହ ଯୋଡ଼ି ହୋଇ ରହିଥିଲେ। ୪୦ରୁ ଅଧିକ ବର୍ଷ ଯାଏ ସେ କଂଗ୍ରେସରେ ଥିଲେ। କଂଗ୍ରେସ ସମର୍ଥନ ପରେ ସଂସଦ ସଦସ୍ୟ, ବିଧାନସଭା ସଦସ୍ୟ ହୋଇଥିଲେ। ଏବେ ମୋ’ ଭାଇ ମଧ୍ୟ ରାଜନୀତିରେ ଥିବା ବେଳେ କଂଗ୍ରେସ ସହ ଜଡ଼ିତ  ଅଛନ୍ତି। ଏଣୁ ରାହୁଲଙ୍କ ଯାଚିକା ଉପରେ ଶୁଣାଣିରୁ ହଟିବି କି ନାହିଁ ଆପଣ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଥିଲେ।
ଗଭାଇଙ୍କ ବାପା ରାମକୃଷ୍ଣ ଗଭାଇ କିଏ ଥିଲେ?
ବିଚାରପତି ଗଭାଇ ହେଉଛନ୍ତି ରାମକୃଷ୍ଣ ସୂର୍ଯ୍ୟଭାନ ଗଭାଇ(୧୯୨୯-୨୦୨୫)ଙ୍କ ସୁପୁତ୍ର। ସେ ବାବାସାହେବ ଆମ୍ବେଦକରଙ୍କ ଘନିଷ୍ଠ ସହଯୋଗୀ ଏବଂ ନାଗପୁରରେ ଦୀକ୍ଷାଭୂମୀ ସ୍ମାରକ ସମିତିର ଅଧ୍ୟକ୍ଷ ଥିଲେ। ସେ ନିଜର ଅନୁଗାମୀ ଏବଂ ପ୍ରଶଂସକଙ୍କ ଗହଣରେ ‘ଦାଦାସାହେବ’ ନାମରେ ଜଣାଶୁଣା ଥିଲେ। ସେ ୧୯୬୪ରୁ ୧୯୯୮ ଯାଏ ମହାରାଷ୍ଟ୍ର ରାଜନୀତିରେ ସକ୍ରିୟ ଥିଲେ। ସେ ଆମ୍ବେଦକରବାଦୀ ସଂଗଠନ ଏବଂ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ(ଗଭାଇ)ର ସ୍ଥାପନା କରିଥିଲେ।
୧୯୯୮ରେ ସେ ଅମରାବତୀ ନିର୍ବାଚନମଣ୍ଡଳୀରୁ ଲୋକ ସଭା ଯାଇଥିଲେ। ଏହାପରେ ୨୦୦୬ରୁ ୨୦୧୧ ଯାଏ ସେ ବିହାର, ସିକ୍କିମ ଏବଂ କେରଳର ରାଜ୍ୟପାଳ ଭାବେ କାମ କରିଥିଲେ। ସେତେବେେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା।
ବି ଆର୍‌ ଗଭାଇଙ୍କ ଭାଇ କିଏ?
ବିଚାରପତି ଗଭାଇଙ୍କ ଭାଇ ଡା. ରାଜେନ୍ଦ୍ର ଗଭାଇ। ସେ ୨୦୦୯ରେ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ(ଏ)ର ଅଧ୍ୟକ୍ଷ ରାମଦାସ ଅଠାଓ୍ବଲେଙ୍କ ସହ କିଛି ସମୟ ପାଇଁ ହାତ ମିଶାଇଥିଲେ। ହେଲେ ତାହା ବେଶିଦିନ ଚାଲି ନ ଥିଲା। ମତଭେଦ ଯୋଗୁ କଂଗ୍ରେସ ସହ ନିର୍ବାଚନ ପୂର୍ବରୁ ମେଣ୍ଟ କରିଥିଲେ।
ଜଷ୍ଟିସ ଗଭାଇ କିଏ?
ଜଷ୍ଟିସ ଗଭାଇଙ୍କ ପୂରା ନାମ ଭୂଷଣ ରାମକୃଷ୍ଣ ଗଭାଇ, ଯିଏ ୨୪ ନଭେମ୍ବର ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମଗ୍ରହଣ କରିଥିଲେ। ସେ ନଭେମ୍ବର ୧୨, ୨୦୦୫ରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ସେବେଠାରୁ ସେ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ଅଂଶ ଅଟନ୍ତି, ଯେଉଁମାନେ ଅନେକ ଐତିହାସିକ ରାୟ ଦେଇଛନ୍ତି।
ପୂର୍ବତନ ଜମ୍ମୁ-କଶ୍ମୀର ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ସମର୍ଥନ କରିଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ ଜଷ୍ଟିସ ଗଭାଇ।

Share