ଘର ସଫା କଲାବେଳେ କେଉଁ ଜିନିଷ ମିଳିବା ଶୁଭ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଦୀପାବଳି ଅବସରରେ ଘରଦ୍ୱାର ସଫା କଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ମାତୃକୃପା ଲାଭ ହୋଇଥାଏ। ଆଉ ଯଦି ଏହି ସଫା କରିବା ସମୟରେ ଶଙ୍ଖ, କଉଡ଼ି, ମୟୂରପୁଚ୍ଛ ଭଳି କିଛି ବିଶେଷ ଜିନିଷ ମିଳେ ତା’ହେଲେ ଏହାକୁ ଶୁଭ ସଙ୍କେତ ବୋଲି କୁହାଯାଇଥାଏ…
* ପଇସା ମିଳିବା: ଦୀପାବଳି ପାଇଁ ଘରସଫା କଲାବେଳେ ଯଦି କୌଣସି ପୁରୁଣା ବାକ୍ସ ଅବା ଡବାରୁ ପଇସା ମିଳେ, ତା’ହେଲେ ଏହା ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସଙ୍କେତ ଦେଇଥାଏ। ଏହି ପଇସାକୁ ହଠାତ୍‌ ଖର୍ଚ୍ଚ ନ କରି ବରଂ ନାଲି କପଡ଼ାରେ ଗୁଡ଼ାଇ ଆଲମାରୀରେ ରଖିଲେ ମା’ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଶଙ୍ଖ, କଉଡ଼ି ମିଳିବା: ଦୀପାବଳି ପାଇଁ ଘରସଫା କଲାବେଳେ କଉଡ଼ି, ଶଙ୍ଖ ମିଳିବା ବି ଶୁଭ ସୂଚନା ଦିଏ। ଏହାକୁ ଗଙ୍ଗାଜଳରେ ଧୋଇ ଠାକୁର ଘରେ ରଖି ପୂଜାକଲେ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ମାନ୍ୟତା ରହିଛି।
* ମୟୂରପୁଚ୍ଛ ମିଳିବା: ମୟୂରପୁଚ୍ଛକୁ ବି ଘରସଫା କଲାବେଳେ ହଠାତ୍‌ ପାଇଲେ ଶୁଭ ଖବର ମିଳିବାର ସୂଚନା ମିଳେ ବୋଲି ବିଶ୍ୱାସ କରାଯାଏ। ଏହାକୁ ପରିଷ୍କାର କରି ପବିତ୍ର ମନରେ ଠାକୁର ଘରେ ରଖିଲେ ପରିବାର ସଦସ୍ୟଙ୍କ ଭିତରେ ସ୍ନେହ ଶ୍ରଦ୍ଧା ବୃଦ୍ଧିପାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
* ନାଲି ବସ୍ତ୍ର: ନାଲି ରଙ୍ଗକୁ ଊର୍ଜା, ସାହସ, ପ୍ରେମ, ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଦୀପାବଳି ପାଇଁ ଘରସଫା କଲାବେଳେ କୌଣସି ମନ୍ଦିରର ନାଲି ଧ୍ୱଜା ଅବା ମା’ଙ୍କ ନାଲି ଓଢ଼ଣୀ କିମ୍ବା ବସ୍ତ୍ରର ଛୋଟ ଟୁକୁଡ଼ାଟିଏ ମିଳିଲେ ଏହା ମା’ଙ୍କ କରୁଣାପ୍ରାପ୍ତିକୁ ସୂଚାଇଥାଏ।

 

Dharitri – Odisha’s No.1, Most Trusted Odia Daily