ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି କଫି ବଗିଚାର ରୂପରେଖ ଗୋଟିଏ ମାସରେ ବଦଳି ଯାଇଛି । କଫିବଗିଚା ପରିସର ମଧ୍ୟରେ ଇଟା, ସିମେଣ୍ଟରେ ଦୁଇ ପାଖ ଅତି ସୁନ୍ଦରରେ ପାର୍କ ଡିଜାଇନ କରାଯାଇଛି। ୱାଲ ବା ଗାର୍ଡ ୱାଲ କରାଯାଇ ଉକ୍ତ କାନ୍ଥରେ ପଟ୍ଟଚିତ୍ର କରାଯାଇଛି, ଯାହାକି ଓଡ଼ିଆ ଅସ୍ମିତାର ଛାପ ଦେଖିବାକୁ ମିଳିଛି। ଓଡ଼ିଆ ଝୋଟି ବିଶେଷ କରି ପଶ୍ଚିମ ଓଡିଶାର କଳା ସଂସ୍କୃତିର ଚିତ୍ର କଫି ବଗିଚା ମଧ୍ୟରେ କରାଯାଇଥିବା ଡିଜାଇନ ୱାଲରେ ଦେଖିବାକୁ ମିଳିଛି । କଫି, ଗୋଲମରିଚ ଗଛର ରଙ୍ଗ ସବୁଜ ହୋଇଥିବାବେଳେ ଉକ୍ତ ଚିତ୍ରର ରଙ୍ଗ ହଳଦିଆ, ଲାଲ ରଙ୍ଗରେ ଅଙ୍କା ଯାଇଛି। ଫଳରେ କଫି ବଗିଚାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି।
ସେହିପରି ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଦ୍ୱାର ମୁହଁରେ ଟିକେଟ ସଂଗ୍ରହ କରାଯାଉଥିଲା। ତେବେ ପ୍ରଶାସନ ପକ୍ଷରୁ ଏବେ ନୂତନ ଟିକେଟ କାଉଣ୍ଟର ସ୍ଥାପନ କରାଯାଇଛି, ଯାହାକି ମୁଖ୍ୟ ଫାଟକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଟିଜେଟ ସଂଗ୍ରହରେ ଶୃଙ୍ଖଳିତ ଫେରିଆସିବ ବୋଲି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ କଫି ବଗିଚାଟି ଦୀର୍ଘ ବର୍ଷ ଧରି ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ ରହିଥିଲା। କେବଳ କଫି ସଂଗ୍ରହ ସହ ପର୍ଯ୍ୟଟକଙ୍କ ଠାରୁ ଟିକେଟ ବାବଦକୁ ଅର୍ଥ ସଂଗ୍ରହ କରାଯାଉଥିଲା। କିନ୍ତୁ ଏବେ ୨ ମାସ ହେଲା ସାଂଜାସାରୁ ଉନ୍ନୟନ ଟ୍ରଷ୍ଟ ହାତକୁ ଆସିବା ପରେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ନିର୍ଦ୍ଦେଶକ୍ରମେ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ କଫି ବଗିଚାର ରୂପାନ୍ତର କରାଯାଇଛି।
ବହୁତ କମ ସମୟରେ ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ସୌନ୍ଦର୍ଯ୍ୟ କାର୍ଯ୍ୟ ଜୋରଦାର କରାଯାଇଛି। ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ, ଉପଜିଲାପାଳ ପ୍ରଣୀତା ଦାସ ପ୍ରମୁଖ ଉକ୍ତ ବଗିଚାକୁ ଆସି ସୌନ୍ଦର୍ଯ୍ୟ କାର୍ଯ୍ୟ ବୁଲିଦେଖିବା ସମୀକ୍ଷା କରିଥିଲେ। ସେହିପରି କଫି ବଗିଚାରେ ଏବେ ଲାଲ ଟହ ଟହ କଫି ଫଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାବେଳେ କଫି ବଗିଚାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରୁଥିବା କୁହାଯାଉଛି। ସେହିପରି ବିଡ଼ିଓ ରଥଙ୍କ କଫି ବଗିଚାର ଉନ୍ନତିକରଣ ପାଇଁ ନେଇଥିବା ପଦକ୍ଷେପକୁ ଅଞ୍ଚଳବାସୀ ଭୁୟସୀ ପ୍ରଂଶସା କରୁଥିବା ଜଣାପଡିଛି।