ନୂଆଦିଲ୍ଲୀ,୪।୧୦: ଆପଣ କେବେ ଭାବିଛନ୍ତି କି ଯେତେବେଳେ ନୋଟ ପୁରୁଣା ହୋଇଯାଏ କିମ୍ବା ଚିରି ଯାଏ, ଆର୍ବିଆଇ ସେସବୁ ନୋଟ୍ର କ’ଣ କରିଥାଏ? ଅନେକ ଭାବନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନୋଟ୍କୁ ଜାଳି ଦିଏ, ଫିଙ୍ଗି ଦିଏ କିମ୍ବା ରିସାଇକ୍ଲିଂ କରି ପୁଣି ନୋଟ ତିଆରି କରେ। କିନ୍ତୁ ବାସ୍ତବତା ଏହାଠାରୁ ବେଶ ଭିନ୍ନ ଓ ରୋଚକ। RBI ଏବେ ଏହି ପୁରୁଣା ନୋଟ୍କୁ ରିସାଇକ୍ଲିଂ କରି ଆସବାବପତ୍ର ତିଆରି କରିବାକୁ ଯୋଜନା କରୁଛି।
ଏଯାଏ କ’ଣ ହେଉଥିଲା?
ପ୍ରତିବର୍ଷ RBI ପାଖରେ ପ୍ରାୟ ୧୫,୦୦୦ ଟନ୍ରୁ ଅଧିକ ପୁରୁଣା ଓ ଖରାପ ନୋଟ ଜମା ହୁଏ। ଏଗୁଡ଼ିକୁ ନଷ୍ଟ କରିବା ପାଇଁ ବ୍ୟାଙ୍କ ଏଯାଏ ଜାଳି ଦେବା କିମ୍ବା ମାଟିରେ ପୋତି ଦେବା (ଲ୍ୟାଣ୍ଡଫିଲ) ପଦ୍ଧତି ଗ୍ରହଣ କରୁଥିଲା। ଏହି ପ୍ରକ୍ରିୟା କେବଳ ମହଙ୍ଗା ନୁହେଁ, ପରିବେଶକୁ ମଧ୍ୟ କ୍ଷତି ପହଞ୍ଚାଉଥିଲା।
RBIର ନୂଆ ଯୋଜନା କ’ଣ?
RBIର ନୂଆ ଯୋଜନା ଅନୁଯାୟୀ, ପୁରୁଣା ଓ ଖରାପ ନୋଟ୍କୁ ଛୋଟ ଛୋଟ ଖଣ୍ଡ ଖଣ୍ଡ କରି ପାର୍ଟିକଲ ବୋର୍ଡ ତିଆରି କରୁଥିବା କମ୍ପାନୀମାନଙ୍କୁ ଦିଆଯିବ। ଏହାଦ୍ୱାରା କମ୍ପାନୀମାନେ ଶସ୍ତା ଓ ମଜଭୂତ କଞ୍ଚାମାଲ ପାଇବେ, ଯାହା ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ତିଆରିରେ ସହଜ ହେବ। ଏହା ସହିତ RBIର ନୋଟ ନଷ୍ଟ କରିବା ଖର୍ଚ୍ଚ ମଧ୍ୟ କମିବ। ଏହାଛଡ଼ା ଏହି ପ୍ରକ୍ରିୟାରୁ ବ୍ୟାଙ୍କକୁ ଅତିରିକ୍ତ ଆୟର ସମ୍ଭାବନା ମଧ୍ୟ ରହିଛି।
ପାର୍ଟିକଲ ବୋର୍ଡ ହେଉଛି ଏକ ପ୍ରକାରର ଇଞ୍ଜିନିୟର୍ଡ କାଠ, ଯାହା କାଠର ଗୁଣ୍ଡ, ଚୂନା ଓ ଫାଇବରକୁ ଗନ୍ଦ କିମ୍ବା ରେଜିନ ସହିତ ଯୋ ତିଆରି କରାଯାଏ। ଏବେ ଏଥିରେ ପୁରୁଣା ନୋଟ୍ର ଖଣ୍ଡଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ଏହାର ବ୍ୟବହାର ଚଉକି, ଟେବୁଲ, ଆଲମାରୀ ଓ ଅନ୍ୟାନ୍ୟ ଆସବାବପତ୍ର ତିଆରିରେ ହେବ। ତେଣୁ ଯେତେବେଳେ ଆପଣଙ୍କ ହାତରୁ କୌଣସି ନୋଟ ପୁରୁଣା ହୋଇ କିମ୍ବା ଛିଣ୍ଡି ଚଳଣୀରୁ ବାହାରି ଯିବ, ତେବେ ଭାବନ୍ତୁ ନା ଯେ ତା’ର ଜୀବନ ଶେଷ ହୋଇନାହିଁ। ଏହା କୌଣସି ନା କୌଣସି ରୂପରେ ଫେରିବ, ହୁଏତ ଆପଣଙ୍କ ଘରର କଚଉକି କିମ୍ବା ଟେବୁଲ ହୋଇ।