Categories: ଖେଳ

ଓ୍ବେଷ୍ଟଇଣ୍ଡିଜକୁ ମିଳିଲା ନୂଆ ଅଧିନାୟକ, ଜାଣନ୍ତୁ…

ଜମାଇକା,୧୭ା୫: ରୋଷ୍ଟନ ଚେଜଙ୍କୁ ଓ୍ବେଷ୍ଟଇଣ୍ଡିଜ ପୁରୁଷ ଟେଷ୍ଟ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୨ ବର୍ଷ ତଳେ ଅନ୍ତିମ ଟେଷ୍ଟ ଖେଳିଥିବା ୩୩ ବର୍ଷୀୟ ଚେଜ, କ୍ରେଗ ବ୍ରାଥଓ୍ବେଟଙ୍କ ସ୍ଥାନ ନେବେ। ବ୍ରାଥଓ୍ବେଟ ଗତ ମାର୍ଚ୍ଚରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ସହିତ ଚେଜଙ୍କ ଅଧିନାୟକ କ୍ୟାରିୟର ଆରମ୍ଭ ହେବ।

ଏହି ସିରିଜ୍‌ ସହିତ ଉଭୟ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ଦଳର ନୂଆ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଅଭିଯାନ ଆରମ୍ଭ ହେବ। ଜୋମେଲ ଓ୍ବାରିକାନଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଦଳର ନୂଆ ଅଧିନାୟକ ନିଯୁକ୍ତି ଲାଗି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ଏକ ଇଣ୍ଟରଭ୍ୟୁ ପ୍ୟାନେଲ ଗଠନ କରାଯାଇଥିଲା। ଏଥିରେ ମୁଖ୍ୟ କୋଚ୍‌ ଡାରେନ ସାମି, ଡାଇରେକ୍ଟର ଅଫ କ୍ରିକେଟ ମାଇଲ୍ସ ବାସ୍କମ୍ବେ ଓ ଚେୟାରମ୍ୟାନ ଅଫ କ୍ରିକେଟ ଷ୍ଟ୍ରାଟେଜୀ ଏନୋଚ ଲୁଇସ ସଦସ୍ୟ ଥିଲେ। ଚେଜ ଏପର୍ଯ୍ୟନ୍ତ ୪୯ ଟେଷ୍ଟ ଖେଳି ୨୬.୩୩ ଆଭରେଜରେ ୫ ଶତକ ସହ ୨୨୬୫ ରନ କରିଛନ୍ତି। ତାଙ୍କ ନାମରେ ୮୫ ଉଇକେଟ ମଧ୍ୟ ରହିଛି। ଶାଇ ହୋପ ଦିନିକିଆ ଓ ଟି୨୦ ଫର୍ମାଟରେ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ ଅଛନ୍ତି।

Share