Categories: Home Leftଖେଳ

ଫଲୋଅନ୍‌ ପରେ ଓ୍ବେଷ୍ଟଇଣ୍ଡିଜର ଦମ୍‌ଦାର ବ୍ୟାଟିଂ

ନୂଆଦିଲ୍ଲୀ,୧୨।୧୦- ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଫଲୋଅନ୍‌ ପରେ ଦ୍ୱିତୀୟ ଇନିଂସରେ ଦୃଢ଼ ବ୍ୟାଟିଂ କରିଛି। ପ୍ରଥମ ଇନିଂସରେ ଭାରତ ୫୧୮/୫ରେ ପାଳି ଘୋଷଣା କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୪୮ ରନରେ ଅଲଆଉଟ୍‌ ହୋଇଥିଲା। ପରେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ତୃତୀୟ ଦିନ ଶେଷ ସୁଦ୍ଧା ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ୨ ଉଇକେଟ ହରାଇ ୧୭୩ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଶାଇ ହୋପ ୬୬ ଓ ଜନ କାମ୍ପବେଲ ୮୭ ରନରେ ଅପରାଜିତ ରହିଥିବା ବେଳେ ଭାରତ ପାଇଁ ମହମ୍ମଦ ସିରାଜ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ଅର୍ଜନ କରିଛନ୍ତି। ମ୍ୟାଚ୍‌ରେ ୨ ଦିନ ଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌କୁ ଇନିଂସ ପରାଜୟରୁ ବର୍ତ୍ତିବା ଲାଗି ୮ ଉଇକେଟରେ ୯୭ ରନର ଆବଶ୍ୟକତା ରହିଛି।

ଓ୍ବେଷ୍ଟଇଣ୍ଡିଜ୍‌ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୧୪୦/୪)ରୁ ବ୍ୟାଟିଂ ଆରମ୍ଭ କରି ଦଳୀୟ ସ୍କୋରରେ ବଳକା ୬ ଉଇକେଟରେ ୧୦୮ ରନ୍‌ ଯୋଡ଼ିଥିଲା। ପୂର୍ବଦିନ ଅପରାଜିତ ଥିବା ଶାଇ ହୋପ ୩୬ ଓ ଟେଭିନ ଇମଚାଲ ୨୧ ରନ କରି ପାଭିଲିଅନ ଫେରିଥିଲେ। ଆଣ୍ଡରସନ ଫିଲିପ ୨୪ ରନ କରି ଅପରାଜିତ ଥିବା ବେଳେ ଖାରି ପିଏରେ ୨୩ ରନ କରି ଆଉଟ୍‌ ହୋଇଥିଲେ। ଭାରତ ପାଇଁ କୁଲଦୀପ ଯାଦବ ୫ ଉଇକେଟ ହାତେଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପଞ୍ଚମ ୫ ଉଇକେଟ ସଫଳତା ଥିଲା।

Dharitri – Odisha’s No.1 Odia Daily