ପଶ୍ଚିମବଙ୍ଗ ଉତ୍ତର ପ୍ରଦେଶ ନୁହେଁ, କାହିଁକି ଏମିତି କହିଲେ ମମତା

କୋଲକାତା,୧୪।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାକୁ ସ୍ଥାନୀୟ ଡାକ୍ତରମାନେ ବିରୋଧ କରୁଛନ୍ତି। ବିକ୍ଷୋଭକାରୀମାନେ ପୀଡ଼ିତାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ମିଳିବାକୁ ଦାବି କରିଛନ୍ତି।
ଇତି ମଧ୍ୟରେ, ଏହି ଘଟଣାକୁ ନେଇ ରାଜ୍ୟ ସଚିବାଳୟ ନବାନ୍ନରେ ଏକ ବୈଠକ ଅନୁଷ୍ଠିତ ହୋଇପାରିନଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଅପରାହ୍ନରେ ସ୍ବାସ୍ଥ୍ୟ ଭବନ ନିକଟରେ ଜୁନିଅର ଡାକ୍ତରଙ୍କ ଧାରଣାସ୍ଥଳରେ ପହଞ୍ଚି ଧର୍ମଘଟ ବନ୍ଦ କରି କାମକୁ ଫେରିବାକୁ ନିବେଦନ କରିଥିଲେ।
‘ଆମେ ନ୍ୟାୟ ଚାହୁଁଛୁ’ ସ୍ଲୋଗାନ ମଧ୍ୟରେ ସଲ୍ଟ ଲେକରେ ଥିବା ସ୍ବାସ୍ଥ୍ୟ ଭବନ ବାହାରେ ଥିବା ବିରୋଧୀ ଡାକ୍ତରମାନଙ୍କୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି ଯେ ବର୍ଷା ମଧ୍ୟରେ ଡାକ୍ତରମାନେ ରାସ୍ତାରେ ବିରୋଧ କରୁଥିବା ବେଳେ ଏମାନଙ୍କୁ ବୁଝାଇବାୁ ଏଠାକୁ ଆସିବା ତାଙ୍କର ଶେଷ ପ୍ରୟାସ।

ମୁଖ୍ୟମନ୍ତ୍ରୀ ବିରୋଧୀ ଡାକ୍ତରମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବାରେ ବିଶ୍ୱାସ କରୁ ନ ଥିବାରୁ ସେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। କାରଣ ପଶ୍ଚିମବଙ୍ଗ ଉତ୍ତର ପ୍ରଦେଶ ନୁହେଁ।
ଡିଜିପି ରାଜୀବ କୁମାରଙ୍କ ସହ ସେକ୍ଟର ୫ରେ ବିରୋଧ ସ୍ଥଳରେ ପହଞ୍ଚିଥିବା ବାନାର୍ଜୀ ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ତୁମର ‘ଦିଦି’ ଭାବରେ ତୁମକୁ ଭେଟିବାକୁ ଆସିଛି।