ଠେଲାଗାଡ଼ିରେ ଗଲେ ଡାକ୍ତରଖାନା

ଧର୍ମଶାଳା,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ଜାରକା ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇଥିବା ମହିଳାଙ୍କୁ ନେବାକୁ ଆସିଲାନି ୧୦୮ ଆମ୍ବୁଲାନ୍ସ। ଶେଷରେ ଗୁରୁତର ମହିଳାଙ୍କୁ ଏକ ଠେଲାଗାଡ଼ିରେ ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଧର୍ମଶାଳା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ମୁତାବକ, ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଭଡ଼ାଘରେ ଅରଣ୍ୟ ଗୁଇଁ ନିଜ ପରିବାର ସହ ରହି ସୋଲାମଟର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି। ଭୋର ସମୟରେ ଅରଣ୍ୟଙ୍କ ସ୍ତ୍ରୀ ଗେଡ଼ି ଗୁଇଁ (୪୮) ବାହାରକୁ ଶୌଚ ହେବାକୁ ଯାଇ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ସେଠାରେ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସି ନ ଥିଲା। ଦୁର୍ଘଟଣା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଆସିଥିଲେ ହୁଏତ ଗେଡ଼ିଙ୍କ ଜୀବନ ବଞ୍ଚତ୍ୟାଇପାରିଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି। ଏନେଇ ଧର୍ମଶାଳା ଥାନାରେ ଗେଡ଼ିଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲଗି ବଡ଼ଚଣା ମେଡିକଲ ପଠାଇ ତଦନ୍ତ ଚଳାଇଛି।