ମହାକାଳପଡ଼ା,୧୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ କାଂଶପାଳ ମୌଜା ଗୋବରୀ ନଦୀ ସଂଲଗ୍ନ ୫୦ ନଂ. ପ୍ଲଟ ନିକଟରେ ମଙ୍ଗଳବାର ଭୋର ୫ଟାରେ ଭଉଁରି ଜାଲ ପକାଇବା ବେଳେ କୁମ୍ଭୀର ଜଣେ ମତ୍ସ୍ୟଜୀବୀଙ୍କୁ ଝାମ୍ପି ନେଇଛି। ଏହି ମୌଜାର ଦେବ କୁମାର ମଣ୍ଡଳ (୪୮) ଜାଲ ପକାଇବା ପାଇଁ ନିକଟ ଗୋବରୀ ନଦୀକୁ ଯାଇଥିଲେ। ସାମୁଦ୍ରିକ ଜୁଆର ଛାଡ଼ି ଯାଇଥିବାବେଳେ ନଦୀକୂଳ ତଳକୁ ଯାଇ ପାଣିରେ ଭଉଁରି ଜାଲ ଟାଣି ଟାଣି ଆଣିବା ସମୟରେ ହଠାତ କୁମ୍ଭୀର ନଦୀ ମଧ୍ୟକୁ ଝାମ୍ପିନେଇ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଖବରପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ କେବଳ ଜାଲକୁ ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛନ୍ତି। ଖବରପାଇ ଜମ୍ବୁ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବେ ଡଙ୍ଗା ଓ ବୋଟ୍ ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଅପରାହ୍ନରେ ମହାକାଳପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସା ସୁଦ୍ଧା ମତ୍ସ୍ୟଜୀବୀ ଦେବଙ୍କ କୌଣସି ପତ୍ତା ମିଳିନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଦେବଙ୍କ ସ୍ତ୍ରୀ ସରସ୍ବତୀ ଓ ପୁଅ ପତିତୋଷ ଘଟଣାସ୍ଥଳରେ ପହଞ୍ଚତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଗ୍ରାମବାସୀ ଏହି ନିଖୋଜ ମତ୍ସ୍ୟଜୀବୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଅପରପକ୍ଷରେ ଏହି ଗୋବରୀ ନଦୀରେ ବଡ଼ କୁମ୍ଭୀର ଆତଙ୍କ ସୃଷ୍ଟି କରିଥିବା ଗ୍ରାମବାସୀ ଦୀର୍ଘଦିନ ଧରି ବନ ବିଭାଗରେ ଅଭିଯୋଗ କରିଥିଲେ। ନଦୀଘାଟ କୂଳ ଏକ ଯୋରି ନାଳିରେ କୁମ୍ଭୀର ଆଡ୍ଡା ଜମାଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ନଦୀକୂଳିଆ ଅଞ୍ଚଳର ଲୋକମାନେ ସଚେତନ ରହିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ତହସିଲଦାର ରବି ନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରେ ନିଖୋଜ ମତ୍ସ୍ୟଜୀବୀ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ଜିଲାପାଳଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗଁାଓକରଙ୍କୁ ପଚାରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଛି। ବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ରିପୋର୍ଟ ପରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।