ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସାପ୍ତାହିକ ହାଟ ର ଅଧିକା ଚାହିଦା ଓ ଫାଇଦା ରହିଛି। ବିଶେଷ କରି ପନିପରିବା ଚାଷୀଙ୍କ ମଧ୍ୟରେ ଦଲାଲଙ୍କ ପ୍ରଭାବ ରହୁଥିବାରୁ ଚାଷୀ ତାର ଅମଳ ପନିପରିବାକୁ ଉଚିତ ଦରରେ ବିକ୍ରୀ କରିପାରୁ ନ ଥିଲା। ଫଳରେ ଦଲାଲ ମାଲାମାଲ ହେଉଥିବା ବେଳେ ଚାଷୀ ନିରାଶ ହେଉଥିଲା। ଏହାକୁ ଗୁରୁତ୍ୱ ଦେଇ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ପକ୍ଷରୁ ଦୀର୍ଘ ୪୦ ବର୍ଷ ପରେ ପୁନଃସାପ୍ତାହିକ ହାଟ ମଙ୍ଗଳବାର ଠାରୁ ଶୁଭାରମ୍ଭ ହୋଇଯାଇଛି। ଏହାକୁ ପଞ୍ଚାୟତର ସରପଞ୍ଚ ଅମିତା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି ହାଟ ଖୋଲାଯିବା ପାଇଁ ସହଯୋଗ କରିଥିବା ଗ୍ରାମବିକାଶ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଭାଗିତାରେ ହାଟ ଖୋଲାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମବିକାଶର ଜିଲା କାର୍ଯ୍ୟକ୍ରମ ହେଡ଼ ବରୁଣ କୁମାର ସିଂଙ୍କ ସମେତ ବସନ୍ତ ନାୟକ, ଅଷ୍ଟିନ କୁମାର, ନିରଞ୍ଜନ ଧାରୁଆ, ଆରାଧନା ପ୍ରଧାନ, ସୁଶାନ୍ତ ପ୍ରଧାନ,ସିମଲା ବର୍ମା, ସୋମ୍ୟଜିତ ଦେ, ଜୀବିତା ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି ପରମେ ପ୍ରଧାନ, ଜଳେଶ୍ୱର ପ୍ରଧାନ, ଜିତେନ୍ଦ୍ର ସାହୁଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
ପ୍ରଥମ ଦିନରେ ହାଟରେ ପନିପରିବା ସହ ଚାଷ ସାମଗ୍ରୀ, ଜୋତା, ରାସନ, ଖାଦ୍ୟ ସାମଗ୍ରୀ ଭଳି ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି ସାପ୍ତାହିକ ହାଟ ଅଞ୍ଚଳରେ ଭାଇଚାରା ସୃଷ୍ଟି କରିବା ସହ ମହିଳାମାନଙ୍କ ସ୍ବାବଲମ୍ବୀ ବୃଦ୍ଧି ପାଇବା ଆଶା ରଖାଯାଇଛି। ବିଶେଷ କରି ମହିଳା ପନିପରିବା ଚାଷୀଙ୍କ ସମେତ ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ, କୁଏରୀ, କାଙ୍ଗୁ ଭଳି ଶସ୍ୟର ବିକ୍ରିବଟା ସହ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି। ସେହିପରି ବିଶବିଖ୍ୟାତ କନ୍ଧମାଳ ହଳଦୀ ଓ ତାର ପ୍ରସ୍ତୁତ ସାମଗ୍ରୀ ଜଙ୍ଗଲଜାତୀୟ ଦ୍ରବ୍ୟର ବିକ୍ରିବଟା ବୃଦ୍ଧି ଲକ୍ଷ ରଖାଯାଇଥିବା କୁହାଯାଇଛି। ଅମଳ ପନିପରିବା ଚାଷୀଙ୍କଠାରୁ ପ୍ରଥମେ ଦଲାଲ ଓ ପରେ ଖାଉଟିଙ୍କ ନିକଟରେ ପହଂଚୁଥିଲା ଓ ଦର ଉଚ୍ଚ ରହୁଥିଲା ହାଟ ଖୋଲିବା ପରେ ଏବେ ମହିଳା ଚାଷୀ ସିଧା ଖାଉଟିଙ୍କୁ ପନିପରିବା ବିକ୍ରୀ କରି ଲାଭବାନ ହୋଇପାରିବେ ଓ ଛୋଟ ଛୋଟ ଚାଷ କରୁଥିବା ମହିଳାମାନଙ୍କ ଜୀବନଜୀବିକା ସ୍ବାବଲମ୍ବୀ ହୋଉପାରିବ ବୋଲି ସରପଞ୍ଚ ଅମିତା ପ୍ରଧାନ କହିଛନ୍ତି।