ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ ସାପ୍ତାହିକ ହାଟ ହେଉଛି। ଏହାର ଫାଇଦା ଛୋଟ ଛୋଟ ବ୍ୟବସାୟୀ, ପନିପରିବା ଚାଷୀଙ୍କ ସମେତ ବିଭିନ୍ନ ଛୋଟ ବଡ଼ ବ୍ୟବସାୟିଙ୍କୁ ସଫଳତା ଦେଉଛି। ଏହି ସବୁ ସ୍ଥାନରେ ହେଉଥିବା ହାଟ ଗୁଡିକରେ ସ୍ଥାନୀୟ ବ୍ୟବସାୟିଙ୍କଠାରୁ ଆରମ୍ଭ କରି ଜିଲା ଓ ଜିଲା ବାହାରୁ ବ୍ୟବସାୟ କରିବାକୁ ଛୁଟି ଆସନ୍ତି। ଭଳିକି ଭକି ପୋଷାକ, ପ୍ଲାଷ୍ଟିକ, ଘରୋଇ ବ୍ୟବହାର ସାମଗ୍ରୀ, ରାସନ, ପନିପରିବା, ଶୁଖୁଆ, ମାଛ, ଚପଲ ଭଳି ଅନେକ ସାମଗ୍ରୀ ମିଳୁଛି ସେହିପରି ଜଙ୍ଗଲ ଜାତୀୟ ସାମଗ୍ରୀ ତଥା ମହୁ, ଝୁଣା, ହଲଦି, ଅଦା, ଫୁଲ ଝାଡୁ ଆଦି ମଧ୍ୟ ସ୍ଥାନେ ସ୍ଥାନେ ବିକ୍ରିବଟା ହେଉଥିବା ନଜିର ରହିଛି। ତେବେ ଏହି ସାପ୍ତାହିକ ହାଟରେ ଏକାଠି ହୁଅନ୍ତି ବିଭିନ୍ନ ଗ୍ରାମର ଲୋକ ଏବଂ ସେଠାରେ ସମ୍ପର୍କ ବୃଦ୍ଧି ସହ ନିଜ ପରିବାର, ଗ୍ରାମର ବିକାଶ କଥା ଓ ଭଲ ମନ୍ଦ ଆଲୋଚନା ହୁଏ। ତେଣୁ ଏହାକୁ ସାପ୍ତାହିକ ହାଟ ସହ ସମ୍ପର୍କର ସେତୁ ବୋଲି କୁହାଯାଏ। ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସେମାନଙ୍କ ପାରମ୍ପରିକ ଭୋଜି ଭାତ, ବିବାହ, ଶୋକ ବାର୍ତ୍ତା ମଧ୍ୟ ଏହି ହାଟ ରେ ଭେଟ ହୋଇ ନିଜ ବାର୍ତ୍ତା ବା ନିମନ୍ତ୍ରଣ କରୁଥିବା ନଜିର ରହିଛି। ବ୍ଲକ ଅଞ୍ଚଳରେ ହେଉଥିବା ବିଭିନ୍ନ ସ୍ଥାନରେ ଏହି ସାପ୍ତାହିକ ହାଟ ପାଇଁ ଲୋକମାନେ ଦିନ ଗଣିଥାନ୍ତି ଓ ବିଶେଷ କାର୍ଯ୍ୟକୁ ସେମାନେ ଏହି ହାଟ ଦିନ ରେ କରିଥାନ୍ତି।

 

Dharitri – Odisha’s No.1 Odia Daily