ଆମେ ବରଦାସ୍ତ କରିବୁ ନାହିଁ…UNSCରେ ପାକିସ୍ତାନକୁ ଧୋଇଲା ଭାରତ

ନୂଆଦିଲ୍ଲୀ,୨୩।୭: ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ମନ୍ତବ୍ୟର ଉପଯୁକ୍ତ ଜବାବ ଦେଇଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ କହିଛନ୍ତି, ଗୋଟିଏ ପଟେ ଭାରତ ଅଛି, ଯାହା ଏକ ପରିପକ୍ୱ ଗଣତନ୍ତ୍ର, ଉଦୀୟମାନ ଅର୍ଥନୀତି, ବହୁବିଧତାବାଦୀ ଏବଂ ଅନ୍ତର୍ଭୁକ୍ତ ସମାଜ, ଅନ୍ୟପଟେ ପାକିସ୍ତାନ ଅଛି, ଯାହା ମୌଳବାଦ ଏବଂ ଆତଙ୍କବାଦରେ ବୁଡ଼ି ରହିଛି ଏବଂ ଯାହା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ରୁ ନିରନ୍ତର ଋଣ ନେଉଛି।

ପି. ହରିଶ ଏହା ମଧ୍ୟ କହିଛନ୍ତି, ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଉପରେ ବିତର୍କ କରିବା ସମୟରେ, ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ କିଛି ମୌଳିକ ନୀତି ଅଛି ଯାହାକୁ ସାର୍ବଜନୀନ ଭାବରେ ସମ୍ମାନ କରାଯିବା ଉଚିତ, ସେଥିମଧ୍ୟରୁ ଗୋଟିଏ ହେଉଛି ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା। ପରିଷଦର କୌଣସି ସଦସ୍ୟଙ୍କ ପାଇଁ ଏପରି ଆଚରଣ କରି ପ୍ରଚାର କରିବା ଉପଯୁକ୍ତ ନୁହେଁ, ଯାହା ଅନ୍ତର୍ଜାତୀୟ ସମୁଦାୟ ପାଇଁ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।

ଯୁଦ୍ଧବିରତି ସମ୍ପର୍କରେ, ପି. ହରିଶ କହିଛନ୍ତି,ଅପରେଶନ ସିନ୍ଦୂରର ପ୍ରାଥମିକ ଉଦ୍ଦେଶ୍ୟ ହାସଲ ପରେ, ପାକିସ୍ତାନର ଆପିଲରେ ସିଧାସଳଖ ସାମରିକ କାର୍ଯ୍ୟକଳାପ ବନ୍ଦ କରାଯାଇଥିଲା। ଜାତିସଂଘ ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ବଜାୟ ରଖିବା ଉପରେ ଏକ ଖୋଲା ବିତର୍କ ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ।
ଇସାକ ଡାରଙ୍କ ପ୍ରଶ୍ନରେ ରାଷ୍ଟ୍ରଦୂତ ପି. ହରିଶ ପୁଣି ଥରେ ସ୍ପଷ୍ଟ କରିଥିଲେ, ଜମ୍ମୁ ଏବଂ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେ ପାକିସ୍ତାନକୁ ସ୍ପଷ୍ଟ ଉତ୍ତର ଦେଇଥିଲେ ଏବଂ କହିଥିଲେ ଭାରତ ଦେଶର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଉଠାଇବାର କୌଣସି ପ୍ରୟାସକୁ କେବେ ଗ୍ରହଣ କରିବ ନାହିଁ। ପାକିସ୍ତାନର କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବା ଏବଂ ଜାତିସଂଘ ସୁରକ୍ଷା ପରିଷଦରେ ସିନ୍ଧୁ ଜଳ ଚୁକ୍ତିନାମା ଉଲ୍ଲେଖ କରିବାର କଡ଼ା ବିରୋଧ ପ୍ରକାଶ କରି ପି. ହରିଶ କହିଛନ୍ତି ଯେ ଆତଙ୍କବାଦ ଏବଂ ଅନ୍ତର୍ଜାତୀୟ ଶାନ୍ତି ପ୍ରସଙ୍ଗରେ ପାକିସ୍ତାନର ଦ୍ୱନ୍ଦ୍ୱପୂର୍ଣ୍ଣ ଚରିତ୍ର ନିନ୍ଦନୀୟ।