ଜମ୍ମୁ,୨୯ା୪(ପି.ଟି.): ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ଦାବିରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ସୁଯୋଗ ଭାବେ ନେବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୋମବାର କହିଛନ୍ତି। ଜମ୍ମୁ-କଶ୍ମୀରର ସୁରକ୍ଷା କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚିତ ସରକାରଙ୍କ ଦାୟିତ୍ୱ ନୁହେଁ। କିନ୍ତୁ ରାଜ୍ୟ ମାନ୍ୟତା ଫେରିପାଇବା ପାଇଁ ଆମେ ଏହାକୁ ସୁଯୋଗ ଭାବେ ବ୍ୟବହାର କରିବୁ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟ ମାନ୍ୟତା ପାଇଁ ମୁଁ କିପରି ଦାବି କରିବି? ମୁଁ ଶସ୍ତା ରାଜନୀତିରେ ବିଶ୍ୱାସ କରେନାହିଁ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓମାର କହିଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଉପରେ ବିଧାନସଭାରେ ଅଣାଯାଇଥିବା ସଂକଳ୍ପନାମା ଆଲୋଚନା ଶେଷରେ ଓମାର ଏହା କହିଥିଲେ। ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରସ୍ତାବରେ ଉଦ୍ବେଗ ପ୍ରକାଶ କରାଯିବା ସହ ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବରେ ବ୍ୟାଘାତ ସୃଷ୍ଟି କରୁଥିବା ଅପରାଧୀଙ୍କ ବିରୋଧରେ ଲଢ଼େଇ ଜାରି ରଖିବାକୁ ସଂକଳ୍ପ ନିଆଯାଇଛି।
ଓମାର କହିଥିଲେ, ଜମ୍ମୁ-କଶ୍ମୀରରୁ ଆତଙ୍କବାଦର ବିଲୋପ ନିମନ୍ତେ ଗୃହର କେତେଜଣ ସଦସ୍ୟ ରାଜ୍ୟମାନ୍ୟତା ଫେରିପାଇବା ଦାବି କରୁଛନ୍ତି। ଆମେ ଅତୀତରେ କେନ୍ଦ୍ର ସରକାରଙ୍କ ସହ ଏନେଇ କଥା ହୋଇଛୁ ଏବଂ ଭବିଷ୍ୟତରେ ମଧ୍ୟ ଆଲୋଚନା ଜାରି ରହିବ, କିନ୍ତୁ ବର୍ତ୍ତମାନ ନୁହେଁ। ଆତଙ୍କବାଦୀ ଆକ୍ରମଣକୁ ନେଇ କେତେକ ସୋସିଆଲ ମିଡିଆ ପରିଚାଳକ ମିଥ୍ୟା ଖବର ପ୍ରକାଶ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଚେତାବନୀ ଦେଇଛନ୍ତି।