ନୂଆଦିଲ୍ଲୀ,୧୩।୨: ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟ ଯାଏ ପରିବ୍ୟାପ୍ତ ଆରାବଳୀ ପର୍ବତ ଶ୍ରେଣୀରେ କୌଣସି କାର୍ଯ୍ୟ କରିବାକୁ କାହାରିକୁ ଅନୁମତି ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁବାର ସ୍ପଷ୍ଟ କରିଛନ୍ତି। ହରିୟାଣା ସରକାର ଏହି ପର୍ବତ ଶ୍ରେଣୀରେ ଏକ ଜଙ୍ଗଲ ସଫାରି କରିବାକୁ ଡିପିଆର୍ ଦାଖଲ କରିବା ପାଇଁ ଅନୁମତି ଲୋଡିଥିଲା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଓ ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଦେବା ସହିତ ଆରାବଳୀକୁ କାହାରିକୁ ଛୁଇଁବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ଯେ ପର୍ଯ୍ୟନ୍ତ ବିଶେଷଜ୍ଞମାନଙ୍କ ଦ୍ୱାରା ଏହି ପର୍ବତ ଶ୍ରେଣୀର ସଂଜ୍ଞା ନିରୂପଣ ନ ହୋଇଛି, ସେ ପର୍ଯ୍ୟନ୍ତ କାହାରିକୁ ଏହାର ସୀମାରେ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।