ପାଟଣା,୨୭।୧୧(ବୀର କିଶୋର ଦାଶ):ତୁରୁମୁଙ୍ଗା ପୋଲିସ ଓ ପାଟଣା ପ୍ରଶାସନ ତରଫରୁ ପାଟଣା ତହସିଲ ଯୁମୁନା ପୋଷି ଗ୍ରାମରେ ରାତିଅଧିଆ ଚଢ଼ାଉ କରି ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାରଙ୍କ ସହ ଆଉ ୫ଜଣ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ପୋଲିସ ଜୋର୍ ଜବରଦସ୍ତି ଥାନାକୁ ଉଠାଇ ନେବାକୁ ନେଇ ପ୍ରତିବାଦ ହୋଇଛି। ଗୁରୁବାର ପ୍ଲାଣ୍ଟ ପ୍ରଭାବିତ ଗାଁର ୨ହଜାରରୁ ଉଦ୍ଧର୍ବ ମହିଳା ପୁରୁଷ ଏକାଠି ହୋଇ ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ନେତାଙ୍କୁ ଖଲାସ କରିବା ଦାବିରେ ହାତୀବାରି ଛକଠାରୁ ରାଲିରେ ବାହାରି ୪୯ ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥ ଦେଇ ତୁରୁମୁଙ୍ଗା ଥାନାକୁ ଯିବା ରାସ୍ତାରେ ଥାନାଠାରୁ ୫ ଶହ ମିଟର ଦୂରରେ ପୋଲିସ ଓ ଫୋର୍ସ ଅଟକାଇଚନ୍ତି।
ଥାନା ସମ୍ମୁଖ ସର୍ଭିସ ରୋଡରେ ଆନ୍ଦୋଳନକାରୀ ବସି ଚାଷ ଜମିରେ ପ୍ଲାଣ୍ଟ ନିର୍ମାଣ ବନ୍ଦ କର,ପୋସ୍କୋ ସହ ଏମଓୟୁ ବାତିଲ ଆମର ଦାବି, ରକ୍ତ ଦେବୁ ପଛେ ଭିଟା ମାଟି ଛାଡିବୁ ନାହିଁ ଆଦି ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି। ଆନ୍ଦୋଳନରତ ନେତାଙ୍କ ସହ ପିଡି କୁମାର ନାଗଭୂଷଣ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ସାହୁ, ପାଟଣା ତହସିଲ ଦାର ଅଶିନୀ ନାୟକ,ଚମ୍ପୁଆ ଏସଡିପିଇଓ ରଶ୍ମିରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଆଲୋଚନା ଜାରି ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।