ନୂଆଦିଲ୍ଲୀ,୨୪ା୫:ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳଚୁକ୍ତିକୁ ସ୍ଥଗିତ ରଖିଥିବାରୁ ଉପୁଜିଥିବା ସଙ୍କଟର ସମାଧାନ ନ ହେଲେ ପାକିସ୍ତାନର ବହୁ ଲୋକ ଖାଇବାକୁ ନ ପାଇ ମରିଯିବେ ବୋଲି ସେଠାର ସିନେଟର ସୟେଦ ଅଲି ଜାଫର ଉଚ୍ଚ ସଦନରେ କହିଛନ୍ତି। ଭାରତର ଏହି ‘ଓ୍ବାଟର ବମ୍ବ’କୁ ଅକାମୀ କରିବା ଲାଗି ଶେହବାଜ ଶରିଫ ସରକାରଙ୍କୁ ସେ ନିବେଦନ କରିଛନ୍ତି। ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ ନେତା ଜାଫର କହିଛନ୍ତି, ସିନ୍ଧୁ ନଦୀ ଆମ ଜୀବନରେଖା। ଆବଶ୍ୟକ ଜଳର ତିନି-ଚତୁର୍ଥାଂଶ ବାହାର ଦେଶରୁ ଆସିଥାଏ। ପ୍ରତି ୧୦ ଜଣରେ ୯ ଜଣ ବଞ୍ଚତ୍ବା ପାଇଁ ଏହି ଜଳରାଶି ଉପରେ ନିର୍ଭର କରିଥାନ୍ତି। ଯଦି ଆମେ ଏବେ ଜଳସଙ୍କଟର ସମାଧାନ ନ କରିବା ତେବେ କ୍ଷୁଧାରେ ମରିଯିବା ବୋଲି ଜାଫର କହିଛନ୍ତି।