Categories: Home Leftଖେଳ

ଅବସର ପଛର କାରଣ ହୃଦୟ ବିଦାରକ ପରାଜୟ

ଆବୁଧାବି,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ ମଝିରେ ଅବସର ଘୋଷଣା କରିଛନ୍ତି ଅସଘର ଅଫଘାନ। ତେବେ ଗତ ମ୍ୟାଚ୍‌ରେ ପାକିସ୍ତାନଠାରୁ ହୃଦୟ ବିଦାରକ ପରାଜୟ ପରେ ହଠାତ୍‌ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଆଫଗାନିସ୍ତାନର ପୂର୍ବତନ ଅଧିନାୟକ।

ସୁପର-୧୨ ପର୍ଯ୍ୟାୟରେ ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ୫ ଉଇକେଟରେ ଆଫଗାନିସ୍ତାନକୁ ହରାଇ ଦେଇଥିଲା। ୧୯ତମ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଆଫଗାନିସ୍ତାନ ହାତରେ ଥିଲା। କିନ୍ତୁ ଅସିଫ ଅଲି ୪ ଛକା ଲଗାଇ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଏହାର ୨୪ ଘଣ୍ଟା ମଧ୍ୟରେ ନାମ୍ବିଆ ବିପକ୍ଷ ମ୍ୟାଚ୍‌ ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ହେବ ବୋଲି ଘୋଷଣା କରିଥିଲେ ପୂର୍ବତନ ଅଧିନାୟକ। ଉଲ୍ଲେଖଯୋଗ୍ୟ, ଆଫଘାନଙ୍କ ନାମରେ ଅଧିନାୟକ ଭାବେ ସର୍ବାଧିକ ଟି୨୦ ମ୍ୟାଚ୍‌ ଜିତିବାର ରେକର୍ଡ।

“ଅନ୍ତିମ ମ୍ୟାଚ୍‌, ଆମକୁ ଖୁବ୍‌ ବାଧିଥିଲା। ଏହି କାରଣରୁ ମୁଁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଦଳ ସହ ଅନେକ ସ୍ମୃତି ରହିଛି। ଏହା ମୋ ପାଇଁ କଷ୍ଟକର। କିନ୍ତୁ ମୋତେ ସନ୍ନ୍ୟାସ ନେବାକୁ ପଡ଼ିବ। ମୁଁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛି। ଏଥି ଲାଗି ଆଉ ଭଲ ସୁଯୋଗ ମିଳିବ ନାହିଁ। ଅନେକ ଲୋକ ପଚାରୁଛନ୍ତି, ଏବେ କ’ଣ ପାଇଁ? କିନ୍ତୁ ଏହାକୁ ମୁଁ ଶବ୍ଦରେ ପରିପ୍ରକାଶ କରିପାରିବି ନାହିଁ” ବୋଲି ନାମ୍ବିଆ ବିପକ୍ଷ ପ୍ରଥମ ଇନିଂସ ଶେଷ ହେବା ପରେ କୋହଭରା କଣ୍ଠରେ ୩୩ ବର୍ଷୀୟ ଆଫଘାନ କହିଛନ୍ତି।

୨୦୦୯ରେ ପଦାର୍ପଣ କରିଥିବା ଆଫଘାନ ଦେଶ ପାଇଁ ୬ ଟେଷ୍ଟ, ୧୧୪ ଦିନିକିଆ ଓ ନାମ୍ବିଆ ବିପକ୍ଷ ମ୍ୟାଚ୍‌କୁ ମିଶାଇ ୭୫ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪,୨୪୬ ରନ୍‌ ରହିଛି।