Categories: Home Leftଖେଳ

‘ରବିଙ୍କ ପାଖରେ କିଛି ଭିନ୍ନ ଅଛି’

କୋଲକାତା,୧୭।୨: ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଥିଲେ। ଜୋଦପୁରର ୨୧ ବର୍ଷୀୟ ସ୍ପିନର ୪ ଓଭରରେ ୧୭ ରନ୍‌ ବିନିମୟରେ ହାତେଇଥିଲେ ୨ ଉଇକେଟ। ତାଙ୍କ ବୋଲିଂରେ ପ୍ରତିପକ୍ଷ ଓ୍ବେଷ୍ଟଇଣ୍ଡିଜ ବ୍ୟାଟର କେବଳ ଗୋଟିଏ ବାଉଣ୍ଡ୍ରି ଲଗାଇବାକୁ ସକ୍ଷମ ହୋଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ତାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା।

“ବିଷ୍ଣୋଇ ଏକ ପ୍ରତିଭାଶାଳୀ ଖେଳାଳି। ଏହି କାରଣରୁ ଆମେ ତାଙ୍କୁ ଦଳରେ ନେଇଛୁ। ଆମେ ତାଙ୍କ ପାଖରେ କିଛି ଭିନ୍ନ ଦେଖିଛୁ। ତାଙ୍କ ପାଖରେ ଅନେକ ଭ୍ୟାରିଏଶନ ଓ ସ୍କିଲ ସେଟ୍‌ ଅଛି। ସେ ଯେ କୌଣସି ସ୍ଥିତିରେ ବୋଲିଂ କରିପାରନ୍ତି, ଯାହାକି ଆମକୁ ବୋଲିଂ ପରିବର୍ତ୍ତନରେ ଅଧିକ ବିକଳ୍ପ ପ୍ରଦାନ କରୁଛି। ଭାରତ ପାଇଁ ପ୍ରଥମ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନରେ ଆମେ ଖୁସି। ତାଙ୍କର ଭବିଷ୍ୟତ ଉଜ୍ଜଳ। ଆମେ ତାଙ୍କୁ କେଉଁ ଭଳି ବ୍ୟବହାର କରୁଛୁ, ତାହା ଉପରେ ସବୁ କିଛି ନିର୍ଭର କରୁଛି ” ବୋଲି ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍‌ ପରେ କହିଛନ୍ତି।