ଆମେ ଯୁଦ୍ଧର ଦ୍ୱାରଦେଶରେ ଅଛୁ, ସବୁର ହିସାବ ନେବୁ: ପୁଣି ଭାରତକୁ ଉସୁକାଇଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ୍‌,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଛନ୍ତି। ପ୍‌ଏକ ସାକ୍ଷାତକାରରେ ସେ କହିଛନ୍ତି, ଗତ ଚାରି ଦିନ ମଧ୍ୟରେ ଭାରତ ଦ୍ୱାରା ନିଆଯାଇଥିବା ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ ଆମ ପାଖରେ ଯୁଦ୍ଧ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ପାକିସ୍ତାନ ଯୁଦ୍ଧର ଦ୍ୱାରଦେଶରେ ଠିଆ ହୋଇଛି।

ସେ କହିଛନ୍ତି, ଗତ ଚାରି ଦିନ ମଧ୍ୟରେ ଭାରତ ଦ୍ୱାରା ନିଆଯାଇଥିବା ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ଯୋଗୁ, ଆମେ ଏହି ବିକଳ୍ପ (ଯୁଦ୍ଧ) ବ୍ୟତୀତ ଅନ୍ୟ କୌଣସି ଉପଲବ୍ଧ ଉପାୟ ଦେଖୁନାହୁଁ। ଆମେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା କରିଛୁ, କିନ୍ତୁ ଏବେ ତାହା ହେବାର ସମ୍ଭାବନା ବହୁତ କମ। ଆମକୁ ମଧ୍ୟ ସେମାନଙ୍କୁ ସମାନ ଭାବରେ ପ୍ରତିକ୍ରିୟା ଦେବାକୁ ପଡିବ।

ଖ୍ବାଜା ଆସିଫଙ୍କ ବୟାନ ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ତୁର୍କୀରେ ନିର୍ମିତ ୩୦୦-୪୦୦ ସୋଙ୍ଗାର ଡ୍ରୋନ ବ୍ୟବହାର କରି ଭାରତର ଅତି କମରେ ୩୬ ସାମରିକ ଘାଟିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି। ଭାରତ ଆକାଶ ମାର୍ଗରେ ଅଧିକାଂଶ ଡ୍ରୋନ ଏବଂ ମିଶାଇଲକୁ ନିଷ୍କ୍ରିୟ କରିଦେଇଥିଲା।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଅନ୍ତର୍ଜାତୀୟ ସମୁଦାୟ ଉପରେ ଚାପ ସୃଷ୍ଟି କରିବାର ଏକ ରଣନୀତି ମଧ୍ୟ ହୋଇପାରେ। ଏହା ପାକିସ୍ତାନୀ ଜନସାଧାରଣ ଏବଂ ସେନାର ଧ୍ୟାନ ଆଭ୍ୟନ୍ତରୀଣ ସମସ୍ୟାରୁ ହଟାଇବାର ଏକ ଉପାୟ ମଧ୍ୟ ହୋଇପାରେ। ଅପରେଶନ ସିନ୍ଦୁର ଅଧୀନରେ, ଭାରତ ମେ ୭ରେ ପିଓକେ ଏବଂ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହା ପରେ ପାକିସ୍ତାନ ଜାମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟରେ ଡ୍ରୋନ ଏବଂ ମିଶାଇଲ ସାହାଯ୍ୟରେ ଆକ୍ରମଣ କରିଥିଲା। ଭାରତ ପାକିସ୍ତାନର ଅନେକ ଡ୍ରୋନକୁ ମଧ୍ୟ ଖସାଇ ଦେଇଥିଲା।

 

 

Share