Categories: Home Leftଖେଳ

‘ଆମେ ଖେଳିବାକୁ ଆସିଛୁ’

ଜୟପୁର,୧୫।୧୧: ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ବର୍ତ୍ତମାନ ନୂଆଦିଲ୍ଲୀ ଭଳି ଜୟପୁରରେ ବଢ଼ୁଥିବା ପ୍ରଦୂଷଣ ଯୋଗୁ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆୟୋଜନ ଉପରେ ଆଶଙ୍କା ଦେଖା ଦେଇଛି। ଏ ସମ୍ପର୍କରେ ପଚରାଯିବାରୁ ଭାରତୀୟ ଟି୨୦ ଦଳର ଉପ ଅଧିନାୟକ ଲୋକେଶ ରାହୁଲ କହିଛନ୍ତି, “ସତ କଥା ହେଲା, ଆମେ ଏପର୍ଯ୍ୟନ୍ତ ବାହାରକୁ ବାହାରି ନାହୁଁ।  ଏବେ ଷ୍ଟାଡିୟମରେ ପହଞ୍ଚିଛୁ। ପ୍ରଦୂଷଣ ସମସ୍ୟା ଲାଗି ମୋ ପାଖରେ କୌଣସି ଉତ୍ତର ନାହିଁ। ପ୍ରଦୂଷଣର ସ୍ତର ଜାଣିବା ପାଇଁ ମୁଁ ହାତରେ ମିଟର ଧରି ଚାଲୁନାହିଁ। ମୁଁ ନିଶ୍ଚିତ ଯେ, ଏହା ଏତେ ଖରାପ ହେବ ନାହିଁ। ଆମେ ସମସ୍ତେ ଏଠାକୁ କ୍ରିକେଟ ଖେଳିବାକୁ ଆସିଛୁ”।

ତିନିଦିନିଆ କ୍ୱାରେଣ୍ଟିନ  ଶେଷ କରିବା ପରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ସୋମବାର ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି। ନୂଆ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ତତ୍ତ୍ୱାବଧାନରେ ବ୍ୟାଟରମାନେ ଟ୍ରେନିଂ କରିଥିଲେ। ସିରିଜ୍‌ର ବଳକା ଦୁଇ ମ୍ୟାଚ୍‌ ଶୁକ୍ରବାର ଓ ରବିବାର ଖେଳାଯିବ। ଏହାପରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବାର କାର୍ଯ୍ୟସୂଚୀ ଅଛି।