ନୂଆଦିଲ୍ଲୀ,୮।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ବାଣିଜ୍ୟ ଘାଟତି ଦୂର କରିବା ଓ ଟାରିଫ ମାଧ୍ୟମରେ ଆମେରିକାର ପ୍ରଭାବ ପ୍ରତିଷ୍ଠା କରିବା ପାଇଁ ଭାରତ ସହ ଏକ ବାଣିଜ୍ୟ ଚୁକ୍ତି ସମ୍ପାଦନରେ ଆମେରିକା ନିକଟତର ହେଉଛି। ୧୪ଟି ଦେଶରୁ ଆମଦାନୀ ଉପରେ ଟାରିଫ ଲଗାଇବା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି।
ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଏକ ବ୍ୟକ୍ତିଗତ ରାତ୍ରିଭୋଜନ ସମୟରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, “ଆମେ ଭାରତ ସହ ଏକ ଚୁକ୍ତି କରିବାକୁ ଚେଷ୍ଟା କରୁଛୁ। ଆମେ ବ୍ରିଟେନ ଓ ଚାଇନା ସହ ମଧ୍ୟ ଚୁକ୍ତି କରିଛୁ।”
ଟ୍ରମ୍ପ ଇଙ୍ଗିତ ଦେଇଛନ୍ତି ଯେ, କେତେକ ପ୍ରମୁଖ ଅଂଶୀଦାର ଦେଶ ସହ ଅଗ୍ରଗତି ହୋଇଛି, କିନ୍ତୁ ଯେଉଁ ଦେଶଗୁଡ଼ିକ ଆମେରିକାର ସର୍ତ୍ତ ମାନିବାକୁ ଅନିଚ୍ଛୁକ, ସେମାନଙ୍କୁ ନୂଆ ଟାରିଫ ନୋଟିସ ପଠାଯିବ। ସେ କହିଛନ୍ତି, “ଅନ୍ୟ କେତେକ ଦେଶ ସହ ଆଲୋଚନା ହୋଇଛି, କିନ୍ତୁ ଆମେ ଚୁକ୍ତି କରିପାରିବୁ ନାହିଁ ବୋଲି ଭାବୁଛୁ, ତେଣୁ ଆମେ ସେମାନଙ୍କୁ କେବଳ ଏକ ପତ୍ର ପଠାଉଛୁ। ବିଭିନ୍ନ ଦେଶକୁ ସେମାନେ କେତେ ଟାରିଫ ଦେବାକୁ ପଡ଼ିବ, ତାହା ଜଣାଉଛୁ।”
ଭାରତ ସହ ସମ୍ଭାବ୍ୟ ଚୁକ୍ତିର ବିବରଣୀ କିମ୍ବା ପରିସର ବିଷୟରେ ଟ୍ରମ୍ପ କିଛି ନକହିଥିଲେ ମଧ୍ୟ, ସେ ଯୁକ୍ତିସଙ୍ଗତ ଚିନ୍ତା ଥିବା ଦେଶଗୁଡ଼ିକ ପାଇଁ ନମନୀୟତା ଦେଖାଇଛନ୍ତି। ସେ କହିଛନ୍ତି, “କେତେକ ଦେଶ ଯଦି ଉଚିତ କାରଣ ଦର୍ଶାନ୍ତି, ତେବେ ସେମାନଙ୍କ ପାଇଁ କିଛି ସମନ୍ୱୟ ହୋଇପାରେ। ଆମେ ଏଥିରେ ଅନ୍ୟାୟ କରିବୁ ନାହିଁ।”
ସୋମବାର ଟ୍ରମ୍ପ ଜାପାନ, ଦକ୍ଷିଣ କୋରିଆ, ମିଆଁମାର, ଲାଓସ, ଦକ୍ଷିଣ ଆଫ୍ରିକା, କାଜାଖସ୍ତାନ, ମାଲେସିଆ, ଟ୍ୟୁନିସିଆ, ଇଣ୍ଡୋନେସିଆ, ବୋସ୍ନିଆ, ବାଂଲାଦେଶ, ସର୍ବିଆ, କମ୍ବୋଡ଼ିଆ ଓ ଥାଇଲାଣ୍ଡରୁ ଆମଦାନୀ ଉପରେ ଟାରିଫ ବୃଦ୍ଧି କରିଛନ୍ତି। ଏହି ଟାରିଫ ସ୍ଲାବ ଅଗଷ୍ଟ ୧ ତାରିଖରୁ ଲାଗୁ ହେବ। ଟ୍ରମ୍ପଙ୍କ ଟ୍ରୁଥ ସୋସିଆଲ ପୋଷ୍ଟ ଅନୁଯାୟୀ, ଦକ୍ଷିଣ କୋରିଆ ଓ ଜାପାନକୁ ୨୫% ଟାରିଫ, ମିଆଁମାର ଓ ଲାଓସକୁ ୪୦%, ଦକ୍ଷିଣ ଆଫ୍ରିକାକୁ ୩୦%, କାଜାଖସ୍ତାନ, ମାଲେସିଆ ଓ ଟ୍ୟୁନିସିଆକୁ ୨୫%, ଇଣ୍ଡୋନେସିଆକୁ ୩୨%, ବୋସ୍ନିଆକୁ ୩୦%, ବାଂଲାଦେଶ ଓ ସର୍ବିଆକୁ ୩୫%, ଏବଂ କମ୍ବୋଡ଼ିଓ ଥାଇଲାଣ୍ଡକୁ ୩% ଟାରିଫ ଲାଗୁ ହେବ।