ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ): ଜଣେ ଦିବ୍ୟାଙ୍ଗ ଜଣେ ସକ୍ଷମ ଛାତ୍ରୀଛାତ୍ରଙ୍କ ସହ ସମାନ। ସେମାନଙ୍କୁ ସମାନ ସମ୍ମାନ ମିଳିବା ଦରକାର। ସେମାନେ ଦିବ୍ୟାଙ୍ଗ ନୁହଁନ୍ତି, ତାଙ୍କ ନିକଟରେ ମଧ୍ୟ ଅନ୍ତର୍ନିହିତ ଗୁଣ ଭରି ରହିଛି। ସେମାନେ ଜଣେ ସାଧାରଣ ଲୋକଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି। ଏଭଳି ବାର୍ତ୍ତା ନେଇ ବୁଧବାର ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ ଏକ ବିରାଟ ଶୋଭାଯାତ୍ରାରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସମେତ ରାପାଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବାହାରି ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଛନ୍ତି। ଏହି ଦିବସ ପାଳନର ମହତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ନେଇ ଶୋଭାଯାତ୍ରା ପାଳନ କରାଯାଇଛି।
ଶୋଭାଯାତ୍ରାରେ ଦାରିଙ୍ଗବାଡି ସହର ପରିକ୍ରମା କରି ଲୋକଙ୍କୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଗୁରୁତ୍ୱ ଓ ସେମାନେ ମଧ୍ୟ ସାମାଜିକ ସ୍ତରରେ ଅନେକ ଉତ୍ତମ ଓ ଉଲ୍ଲେଖନୀୟ କାର୍ଯ୍ୟକରି ପାରୁଥିବା କୁହାଯାଇଥିଲା। ପରେ ଶୋଭାଯାତ୍ରାରୁ ଫେରି ସେମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି। ଅପରାହ୍ନରେ ସେମାନଙ୍କୁ ପୁରସ୍କୃତ କରାଯିବ। ବୋଲି ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ କହିଛନ୍ତି। କାର୍ଯ୍ୟକ୍ରମରେ ଏବିଇଓ ଗୋକୁଳାନନ୍ଦ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚାରୁଶିଲା ମଲିକ, ବିଭିନ୍ନ କ୍ଲଷ୍ଟରର ସିଆରସିସି, ଶିକ୍ଷୟିତ୍ରୀଶିକ୍ଷକ, ଅଭିଭାବକ ଉପସ୍ଥିତ ରହିଛନ୍ତି।