ତରଭୁଜ ଚାଷକରି ଶିକ୍ଷକ ଲକ୍ଷପତି

କେନ୍ଦୁଝର,୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପେସାରେ ଶିକ୍ଷକ, ନିଶା ତାଙ୍କର ଚାଷ। ଶିକ୍ଷକ ଚାକିରି ପରେ ବି କୁଳ ବେଉସାକୁ ଭୁଲି ପାରିନାହାନ୍ତି। ଚାକିରି ସହ ତରଭୁଜ ଚାଷକରି ଅନେକ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ହେଲେ କେନ୍ଦୁଝର ଜିଲା ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ମୁଣ୍ତାସାହିର ଶିକ୍ଷକ ସତ୍ୟଜିତ ଲାଗୁରୀ। ପ୍ରାୟ ୧୧ ଏକର ଜମିରେ ତରଭୁଜ ଚାଷ କରି ଲକ୍ଷପତି ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ପ୍ରକାଶ ଯେ, ସତ୍ୟଜିତ୍‌ ସଦର ବ୍ଲକ୍‌ ଅନ୍ତର୍ଗତ ମହାଦେଇଯୋଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ତାଙ୍କ ସ୍ତ୍ରୀ କେନ୍ଦ୍ରାପଡ଼ା ଜିଲାରେ ଶିକ୍ଷକତା କରୁଛନ୍ତି। ଚାଷୀ ପରିବାରର ହୋଇଥିବାରୁ ପୂର୍ବରୁ କେବଳ ଧାନ ଚାଷ କରୁଥିଲେ। ଏବେ ୩ ବର୍ଷ ଧରି ତରଭୁଜ ଚାଷ କରି ଭଲ ରୋଜଗାର କରୁଛନ୍ତି। ସେ ଗୋଲ, ଲମ୍ବା କିରଣ ଆଦି ୨ ପ୍ରକାରର ତରଭୁଜ ଚାଷ ପାଇଁ ଡିସେମ୍ବରରେ ମଞ୍ଜି ଆଣିଥିଲେ। ଏଥିପାଇଁ ନୂଆ ମୋଲଚିଂ ପଦ୍ଧତିରେ ଚାଷ କରିବାକୁ ପ୍ରଥମେ ଟ୍ରେ ଯୋଗେ ଭଲ ତରଭୁଜ ବିହନ ଚାରା ପକାଇଥିଲେ। ଏହା ଦ୍ବାରା ରୋଗପୋକ କମ ହୋଇଥାଏ ବୋଲି ସେ କୁହନ୍ତି। ପରେ ଶ୍ରମିକଙ୍କୁ ଲଗାଇ କ୍ଷେତରେ ଚାରାରୋପଣ କରିଥିଲେ। ଏ ନେଇ ସେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସରକାରଙ୍କ ଯୋଜନାରେ ଗଭୀର ନଳକୂପ ଖୋଳିଥିବା ବୋରୱେଲରୁ କ୍ଷେତରେ ଜଳସେଚନ କରୁଛନ୍ତି। ଏବେ କ୍ଷେତରେ କଳାରଙ୍ଗର ଗୋଲ ତରଭୁଜ ଫଳିଛି। ଭଲ କିସମର ତରଭୁଜ ଚାଷ ହୋଇଥିବାରୁ ଜିଲା ସମେତ ରାଜ୍ୟ ବାହାର ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦିର ବ୍ୟବସାୟୀ ଗାଡ଼ି ଯୋଗେ କ୍ଷେତରୁ ତରଭୁଜ କିଣି ନେଉଛନ୍ତି। ଗତ ଏକ ମାସ ମଧ୍ୟରେ ସେ ପ୍ରାୟ ୭ ଲକ୍ଷ ଟଙ୍କାର ତରଭୁଜ ବିକ୍ରି କରିଥିବା କହିଛନ୍ତି। କ୍ଷେତରେ ଥିବା ବଳକା ତରଭୁଜ ଆଉ ୪ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି। ସ୍କୁଲରୁ ଫେରିବା ପରେ ବଳକା ସମୟରେ ନିଜକୁ ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଧାନ ଅମଳ ପରେ ତରଭୁଜ ଚାଷ କରିବା ଲାଭଦାୟକ ହୋଇଛି ବୋଲି ପ୍ରକାଶ କରିଛନ୍ତି। ଏହା ପରେ ମିଠାମକା ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜିଲା କୃଷି ବିଭାଗ ପକ୍ଷରୁ ଅଧିକ ଜ୍ଞାନକୈାଶଳ ଏବଂ ସହାୟତା ଯୋଗାଇ ଦିଆଗଲେ, ଆଗକୁ ବିଭିନ୍ନ ଚାଷ କରିପାରିବେ ବୋଲି କହିଛନ୍ତି।