ଭଞ୍ଜନଗର,୯।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏକ ପ୍ରମୁଖ ରାଜସ୍ୱ ଉପଖଣ୍ଡ ସହର ଭଞ୍ଜନଗରକୁ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧା ମିଳିବା କଥା ଥିଲେ ମଧ୍ୟ ଏହା ବହୁ ବର୍ଷ ହେବ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ପରିପ୍ରେକ୍ଷୀରେ, ଶନିବାର ରାତିରୁ ପମ୍ପ ଅଚଳ ହେବା ଯୋଗୁଁ ସହରକୁ ପାଣି ଯୋଗାଣ ବନ୍ଦ ହୋଇଯାଇଥିଲା।
ଶନିବାର ରାତିରେ ଭଞ୍ଜନଗର ଜଳଭଣ୍ଡାର ଭିତରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ଇଣ୍ଟେକ୍ ୱେଲ୍ରେ ଲାଗିଥିବା ପମ୍ପଟି ଅଚଳ ହୋଇପଡ଼ିଥିଲା। ଫଳରେ ରବିବାର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସହରକୁ ପାଣି ଆସିପାରିନଥିଲା।
ଏନେଇ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଆଦିତ୍ୟ ନାରାୟଣ ରାଓ କହିଛନ୍ତି ଯେ ପମ୍ପ ଅଚଳ ହେତୁ ସମସ୍ୟା ଦେଖାଦେଇଛି। ସହରକୁ ଯେତିକି ପାଣି ଆବଶ୍ୟକ ତା’ଠାରୁ ଅଧିକ ପାଣି ଛଡ଼ାଯାଉଥିବାରୁ ପମ୍ପ ଉପରେ ବାରମ୍ବାର ଚାପ ପଡୁଛି। ସେ ଆଶା କରିଛନ୍ତି ଯେ ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ସ୍ୱାଭାବିକ ଭାବେ ଜଳ ଯୋଗାଣ ଆରମ୍ଭ ହେବ। ଖବର ଲେଖା ହେବା ବେଳକୁ କିଛି ଅଞ୍ଚଳକୁ ଜଳ ଯୋଗାଣ ଆରମ୍ଭ ହୋଇଛି।
ସହରବାସୀ ଅଭିଯୋଗ କରିଛନ୍ତି ଯେ ଗୋଟିଏ ପମ୍ପ ଅଚଳ ହେଲେ ଅନ୍ୟ ଗୋଟିଏ ବିକଳ୍ପ ପମ୍ପ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ଭବିଷ୍ୟତରେ ବିକଳ୍ପ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।
ଜଳ ଯୋଗାଣ ବ୍ୟତୀତ, କଣ୍ଟେଇପଲ୍ଲୀ ଗ୍ରିଡ୍ ସବ୍ ଷ୍ଟେସନ୍ରୁ ଭଞ୍ଜନଗରକୁ ଆସିଥିବା ଏକମାତ୍ର ବିଦ୍ୟୁତ୍ ଲାଇନ୍ରେ ତ୍ରୁଟି ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି। କଣ୍ଟେଇପଲ୍ଲୀରୁ ଭଞ୍ଜନଗର ପାଇଁ ଦ୍ୱିତୀୟ ବିଦ୍ୟୁତ୍ ଲାଇନ୍ ନଥିବା ହେତୁ ଏହି ସମସ୍ୟା ମଧ୍ୟ ବାରମ୍ବାର ଦେଖାଯାଉଛି।