ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡ଼େକା) ଗଠନ କରିଥିଲେ। ଏହାର ମୂଳ ଲକ୍ଷ୍ୟ ଥିଲା ସମାଜସେବା କରିବା। ଏଥିପାଇଁ ବର୍ତ୍ତମାନର କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ପ୍ରତି ମାସରେ ମାସିକ ଚାନ୍ଦା ଦିଅନ୍ତି। ଆଜକୁ ୧୫ ବର୍ଷ ହେବ କର୍ମଚାରୀମାନେ ଯେଉଁ ଲକ୍ଷ୍ୟ ନେଇ ଏହି ଅନୁଷ୍ଠାନ ଗଢିଥିଲେ ତାହା ଧିରେ ଧିରେ ଆଗକୁ ବଢୁଛି। ଏହିଭଳି ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠାନ ଆଉ ଏକ ପାଦ ଆଗକୁ ବଢିଛି। ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମ୍ମୁଖରେ ବେଲେଶ୍ୱର କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଅଞ୍ଚଳବାସୀଙ୍କ ସ୍ବାର୍ଥ ପାଇଁ ବିଡେକା ଯେଉଁ କାର୍ଯ୍ୟକ୍ରମ ହାତକୁ ନେଉଛି ତାହା ପ୍ରଶଂସାଯୋଗ୍ୟ। ବିଡେକାର ଉନ୍ନତି ପାଇଁ ଆଗାମୀ ଦିନରେ ଯାହା ସାହାଯ୍ୟ ସହଯୋଗ ଲୋଡ଼ା ତାହା ଯୋଗାଇଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର, ନଗର ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ବିଡ଼େକା କାର୍ଯ୍ୟକାରୀ ସଭାପତି ତଥା ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ.ସଞ୍ଜୟ କୁମାର ପ୍ରଧାନ ଏବଂ ସମ୍ପାଦକ ଇଂ.ସନ୍ତୋଷ କୁମାର ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଡ଼େକା ସଭ୍ୟ ତଥା ନିର୍ବାହୀ ଯନ୍ତ୍ରୀ ସୁମା ପ୍ରଧାନ, ସହକାରୀ ଯନ୍ତ୍ରୀ ଇଂ.ରଶ୍ମିରଞ୍ଜନ ରଥ, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ, କ୍ୟାସୀୟର ରାକେଶ ପଟ୍ଟନାୟକ, ସଭ୍ୟ ଅନ୍ତର୍ଯାମୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଭାଜପା ନେତା ତଥା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ପରିବେଶବିତ୍‌ ରମେଶ ପାତ୍ର, ଚିଦାନନ୍ଦ ସ୍ବାଇଁ, ଶିବଶଙ୍କର ମହାପାତ୍ର, ବୁବୁନୁ ମହାନ୍ତି, ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଡେକା ପକ୍ଷରୁ ବର୍ତ୍ତମାନ ଆମ୍ବୁଲାନ୍ସ ସେବା ଚାଲିଛି, ଗରିବ ଛାତ୍ରୀଛାତ୍ରଙ୍କୁ ଉଚ୍ଚତର ଶିକ୍ଷା ପାଇଁ ସହାୟତା କରୁଛି। ପ୍ରତି କିଛି ମାସ ବ୍ୟବଧାନରେ ରକ୍ତଦାନ ଶିବିର ଆୟୋଜନ ହେଉଛି। ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି ବେଲେଶ୍ୱର ପୀଠରେ ସ୍ଥାପନ ହୋଇଛି। ଯାହାକି ରାଜ୍ୟର ଏକ ଅଗ୍ରଣୀ ପର୍ଯ୍ୟଟନସ୍ଥଳୀ ଭାବେ ବେଲେଶ୍ୱର ପୀଠ ପରିଚିତ। ବିଡେକାର ଅତ୍ୟାଧୁନିକ ଗେଷ୍ଟ ହାଉସ୍‌ ମଧ୍ୟ ନିର୍ମାଣ ହୋଇଛି। ବର୍ତ୍ତମାନ ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲିଛି। ଅନୁଷ୍ଠାନ ପକ୍ଷରୁ ଆଗକୁ ବୃଦ୍ଧ ଆଶ୍ରମ ସହ ଆହୁରି ଅନେକ କିଛି ସେବା କାର୍ଯ୍ୟ କରିବା ଲକ୍ଷ୍ୟ ରଖାଯାଇଛି।

Dharitri – Odisha’s No.1 Odia Daily