ସିକପାଟାରେ ଜଳ ସମସ୍ୟା, ସୋଲାର ପମ୍ପ କାର୍ଯ୍ୟ ଅଧାରେ ଅଟକିଲା: ବର୍ଷା ଦିନରେ ପାଣି ପାଇଁ ଡହଳବିକଳ

ଦାରିଙ୍ଗବାଡି, ୧୪ /୧୦ (ଅରୁଣ ସାହୁ ): ବର୍ଷା ଦିନରେ ପିଇବା ପାଣି ପାଇଁ ଡହଳବିକଳ। ଗତ ୪ ମାସ ହେଲା ବର୍ଷା ଲାଗିରଗିଥିବାବେଳେ ଗାଁ ରେ ପିଇବା ପାଣି ପାଇଁ ଗ୍ରାମବାସୀ କସରତ କରୁଛନ୍ତି ।
ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ସିକପାଟା ଗ୍ରାମରେ।
ପ୍ରକାଶ ଯେ, ସରକାର ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରଥମେ ପାଇପ ଯୋଗେ ଜଳ ଯୋଗାଣ ପାଇଁ ପାଇପ ବିଛାଇଲେ। ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ସରକାରଙ୍କ ଖର୍ଚ୍ଚ ହେଲା ।କିନ୍ତୁ ଆଜିକୁ ପ୍ରାୟ ୫ ବର୍ଷ ବିତିଗଲାଣି କିନ୍ତୁ ଲୋକଙ୍କୁ ପାଣି ଟୋପାଏ ମିଳିଲା ନାହିଁ। କୁହାଗଲା ସିକପାଟାରେ ଜଳ ଉତ୍ସ ନାହିଁ। ଏବେ ଗତ କିଛି ମାସ ହେଲା ସରକାରଙ୍କ ପକ୍ଷରୁ ଉକ୍ତ ଗ୍ରାମରେ ସୋଲାର ପମ୍ପ ମାଧ୍ୟମରେ ଜଳ ଯୋଗାଣ ପାଇଁ ପ୍ରକଳ୍ପ ପାଇଁ ଅନୁଦାନ ଆସିଲା। କିନ୍ତୁ ତାକୁ ଅଧପନ୍ତରିଆ କାର୍ଯ୍ୟ କରି ଛାଡିଦିଆଯାଇଛି। ଫଳରେ ସିକପାଟା ଗ୍ରାମରେ ଏହି ବର୍ଷା ଦିନରେ ମଧ୍ୟ ଜଲଭାବ ରହିଛି।

ଗାଁ ମଝିରେ ୨ ଟି ସୋଲାର ଜଳ ପ୍ରକଳ୍ପକୁ ଅଧାରେ କାର୍ଯ୍ୟ ଛାଡି ଠିକା ସଂସ୍ଥାର ଆଉ ଦେଖାମିଳୁନି। ଗାଁ ଲୋକ ବାରମ୍ବାର ଫୋନ କରି ଉକ୍ତ ସଂସ୍ଥାକୁ ଶୀଘ୍ର କାର୍ଯ୍ୟ ସାରିବାକୁ ନିବେଦନ କରିଥିଲେ ମଧ୍ୟ ଫଳ ଶୂନ ବୋଲି ଗ୍ରାମର ଅକ୍ଷୟ ପରିଛାଙ୍କ ସମେତ ରାଜେନ୍ଦ୍ର ଦିଗାଲ, ସୁମଳ ମନ୍ତ୍ରୀ,ନବତୀ ମନ୍ତ୍ରୀ, ରୀନା ସିଂ, ମୋହନଲାଲ ନାୟକ ବରୁଣ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି।

ଗାଁରେ ବୈଠକ କରି ସେମାନେ ନିଷ୍ପତି ନେଇଛନ୍ତି ଶୀଘ୍ର କାର୍ଯ୍ୟ କରା ନ ଗଲେ ରାଜରାସ୍ତାକୁ ଗରା ମାଠିଆ ଧରି ଶତାଧିକ ମହିଳା ପୁରୁଷ ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ସେମାନଙ୍କ ଅଭିଯୋଗ ଯେ, ବ୍ଲକ କାର୍ଯ୍ୟାଳୟ ଏବଂ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟଠାରୁ ସିକପାଟା ଗ୍ରାମ ମାତ୍ର ୧ କିମି ମଧ୍ୟରେ ରହିଛି। କିନ୍ତୁ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ଆମେ ଆନ୍ଦୋଳନ ଏକ ମାତ୍ର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ବୋଲି ଚେତାବନୀ ଦେଇଛନ୍ତି । ଗାଁରେ ଜଳକଷ୍ଟ ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡିଛି। ଏନେଇ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋବ୍ଦ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ପୂଜା ଛୁଟି ପରେ ଠିକା ସଂସ୍ଥାର ଶ୍ରମିକମାନେ ଆସିନାହାନ୍ତି। ସେମାନେ ଆସିଲେ ଆମେ ଉକ୍ତ କାର୍ଯ୍ୟ ଶୀଘ୍ର ସାରିଦେବୁ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily