JAMMU, INDIA - APRIL 27: A villager collecting drinking water from an almost dried up well as others waiting for their turn at Padal village of Samba district, around 40 kilometers from Jammu, on April 27, 2016 in Jammu, India. According to reports, 10 villages in Samba district of Jammu and Kashmir are drought-affected. The drought has been ongoing for the past two months in the region, forcing women and children to walk miles to fetch water. (Photo by Nitin Kanotra/Hindustan Times via Getty Images)
କେନ୍ଦ୍ରାପଡ଼ା ଅଫିସ,୧୫ା୧୧: ରାଜ୍ୟର ୨୩ ଜିଲାରେ ୫୫ଟି ଜଳ ଉତ୍ସ ପ୍ରଦୂଷିତ। ତାହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ପକ୍ଷରୁ ଜଳଉତ୍ସ ବିଶୋଧନ ପାଇଁ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଚେତିଛନ୍ତି। ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ସମ୍ପୃକ୍ତ ୨୩ ଜିଲାର ଜିଲାପାଳଙ୍କୁ ଆସନ୍ତା ୧୫ ତାରିଖ ମଧ୍ୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉପରୋକ୍ତ ୨୩ ଜିଲା ମଧ୍ୟରେ କେନ୍ଦ୍ରାପଡ଼ା ଅଛି। ନିକଟରେ ଗରଦପୁର ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଦ୍ରୁତଗତିରେ ହ୍ରାସ ପାଇଥିବା ନେଇ ରାଜ୍ୟ ଭୂତଳ ଜଳ ବିଶେଷଜ୍ଞ ସୂଚନା ଦେଇଥିଲେ। ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ କେନ୍ଦ୍ରାପଡ଼ାକୁ କେନ୍ଦ୍ର ସରକାର ଚିହ୍ନଟ କରି ୨୦୧୯ରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଏବେ କାଗଜପତ୍ରରେ ସୀମିତ ରହିଛି। ଜଳଉତ୍ସ ପ୍ରଦୂଷଣ ରୋକିବା ପାଇଁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାକୁ ରାଜ୍ୟ ସରକାର ଜଳଉତ୍ସ ସଂରକ୍ଷଣ ଦିବସ ଭାବେ ଘୋଷଣା କରନ୍ତୁ ବୋଲି ଜିଲା ଜନ ସୁରକ୍ଷା ମଞ୍ଚ ଦାବି କରିଛି। ଏହାକୁ ଜିଲାର ବହୁ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି।
ଏ ସମ୍ପର୍କରେ ମଞ୍ଚର ସଭାପତି ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଜଳ ହିଁ ଜୀବନ। ଏହାର ସୁରକ୍ଷା ଆବଶ୍ୟକ। ହିନ୍ଦୁ ସଂସ୍କୃତିରେ ସାଧାରଣ ଚଳଣିଠାରୁ ପୂଜା ପାର୍ବଣରେ ଜଳର ଗୁରୁତ୍ୱ ଅଧିକ। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଜଳ ଉତ୍ସର ପରିସମାପ୍ତି ଘଟାଉଛି। ପୂର୍ବରୁ ଥିବା ଜଳ ପଥ ଓ ଉତ୍ସକୁ ପୋତା ଯାଇ ଏବେ ଗୃହ ନିର୍ମାଣ ହେଉଛି। ସେହିପରି ପୂଜା ପାର୍ବଣରେ ମୂର୍ତ୍ତି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଜଳ ଉତ୍ସକୁ ପ୍ରଦୂଷିତ କରୁଛି। ଏହାବ୍ୟତୀତ ଅତ୍ୟାଧୁନିକ ଜୀବନ ଯାପନ ପାଇଁ ଦ୍ରୁତ ଶିଳ୍ପାୟନ ଯୋଗୁ ବର୍ଜ୍ୟବସ୍ତୁ ଜଳଉତ୍ସକୁ ନଷ୍ଟ କରୁଛି। ସହରରେ ଥିବା ୨୪ଟି ବଡ଼ ପୋଖରୀ ମଧ୍ୟରୁ ପ୍ରାୟ ୧୮ଟି ଏବେ ପୋତି ଦିଆଯାଇଛି। ଆଗାମୀ କାର୍ତ୍ତିକ ପୂର୍ଣ୍ଣିମାରେ ବହୁ ପ୍ରଚଳିତ ଡଙ୍ଗାଭସା କାର୍ଯ୍ୟକ୍ରମ ପାଇଁ ଜଳଉତ୍ସ ଦେଖିବାକୁ ମିଳୁନାହିଁ। ଜଳଉତ୍ସର ସଂରକ୍ଷଣ ପାଇଁ ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀକୁ ଜଳଉତ୍ସ ଦିବସ ଭାବେ ପାଳନ କଲେ ସଚେତନତା ବୃଦ୍ଧି ପାଇବ। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହି ଜିଲାରେ କୌଣସି ଖଣି ଅଥବା ଶିଳ୍ପ ନାହିଁ। ତେବେ ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ଏବେ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି। ଏପରି କି ଏହି ଜଳ ସାମୁଦ୍ରିକ ଜୀବ ଉପରେ ପ୍ରଭାବ ପକାଇଛି। ପଡ଼ୋଶୀ ଜଗତ୍ସିଂହପୁର, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପ ଅନୁଷ୍ଠାନ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ୱ ଦେଉନାହାନ୍ତି। ଶିଳ୍ପ ବର୍ଜ୍ୟ ସାମଗ୍ରୀକୁ ନଦୀ ଜଳକୁ ଛାଡୁଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଚାଷ ଉପାନ୍ତ ଅଞ୍ଚଳରେ କୁଟୀର ଶିଳ୍ପ ପାଲଟିଛି। ଚିଙ୍ଗୁଡି ଘେରିରୁ ନିର୍ଗତ ବର୍ଜ୍ୟ ରାସାୟନିକ ସାମଗ୍ରୀ ନାଳ, କେନାଲ ଓ ନଦୀ ମାଧ୍ୟମରେ ଛଡ଼ାଯିବା ଫଳରେ ସମୁଦ୍ରାଞ୍ଚଳ ପ୍ରଦୂଷିତ ହେଉଛି। ପୂଜା ପାର୍ବଣ ସମୟରେ ଏକ ସ୍ବତନ୍ତ୍ର ପୋଖରୀରେ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ପକାଯାଉ। ସେହିପରି ମୂର୍ତ୍ତି ଗଠନରେ ରାସାୟନିକ ଦ୍ରବ୍ୟ ବଦଳରେ ପରିବେଶ ଅନୁକୂଳ ଉପାଦାନ ବ୍ୟବହାର ହେଉ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ମହାନ୍ତି କହିଛନ୍ତି, ଜଳଉତ୍ସ ସଂରକ୍ଷଣ ଜରୁରୀ। ଏଥିପାଇଁ ଜିଲାର ଜଳ ସଙ୍କଟ ଦୂର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ପୁରୁଣା ଜଳଉତ୍ସର ପୁନରୁଦ୍ଧାର, ଭୂଗର୍ଭକୁ ବର୍ଷା ଓ ଉଦ୍ବୃତ୍ତ ଜଳ ପ୍ରେରଣ ସହିତ ବ୍ୟାପକ ଭାବେ ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ କେନ୍ଦ୍ରାପଡ଼ା ଜିଲାରେ କେବଳ କାଗଜପତ୍ରରେ ସୀମିତ ହୋଇଛି। ଅଭିଯାନର ଉଦ୍ଘାଟନ ପରେ ଏନେଇ ସଚେତନତା ସୃଷ୍ଟି ହୋଇପାରିନାହିଁ। ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ଜଳଉତ୍ସଗୁଡିକ ନଷ୍ଟ ହୋଇଛି ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍ ଦୁର୍ଗା ପ୍ରସାଦ ମହାରଣା କହିଛନ୍ତି, ଜଳଉତ୍ସ ପ୍ରଦୂଷଣ ମୁକ୍ତ ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି। ଚିଙ୍ଗୁଡି ଘେରି ଉଚ୍ଛେଦ ସହ ବିଭିନ୍ନ ଯୋଜନାରେ ବନୀକରଣ ଓ ପୋଖରୀର ପୁନରୁଦ୍ଧାର କରାଯାଉଛି।