ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ ପାଳନ କରାଯାଉଛି ବିଶ୍ୱ ଜଳ ଦିବସ। ସ୍ୱଚ୍ଛ ଜଳ ଟିକେ ପାଇବା ପାଇଁ ଆଜି ପ୍ରାଣିଜଗତ ଯେଭଳି ସଙ୍କଟର ସମ୍ମୁଖୀନ ହେଲାଣି, ତାହା ସକାଶେ ଖୁବ୍ଶୀଘ୍ର ବିଶ୍ୱମାନବ ତୃତୀୟ ବିଶ୍ୱଯୁଦ୍ଧ ଦେଖିବ ବୋଲି କରାଯାଉଥିବା ଆକଳନର ଆଭାସ ମିଳିଲାଣି। କାରଣ ବିଶ୍ୱରେ ଯେତିକି ମଧୁର ଜଳ ଉପଲବ୍ଧ ହେଉଛି ତାହା ବ୍ୟାପକ ଭାବେ ପ୍ରଦୂଷିତ ହେବାରେ ଲାଗିଥିବାରୁ ମଣିଷ ତିଷ୍ଠିବା ଉପରେ ଘୋର ପ୍ରଶ୍ନବାଚୀ ସୃଷ୍ଟି ହେଲାଣିି। ଏହି ପରିପ୍ରେକ୍ଷୀରେ ନିରାପଦ ଜଳ ପାଇଁ ଯେଉଁ ସରକାରୀ, ବେସରକାରୀ ସଙ୍ଗଠନ ଓ ବ୍ୟକ୍ତିବିଶେଷ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସବୁ ସ୍ତରରେ ସମର୍ଥନ ମିଳିବା ସମୟର ଆବଶ୍ୟକତା ହୋଇପଡ଼ିଲାଣି। ଯୁଦ୍ଧ ପାଇଁ ଇରାନ୍କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଭୂମିର ସନ୍ତାନ କଭେ ମଦାନୀ ଜଳ ସଂରକ୍ଷଣ ଦିଗରେ ନେଇଥିବା ପଦକ୍ଷେପ ଯୋଗୁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୨୬ ସକାଶେ ସେ ‘ଷ୍ଟକ୍ହୋମ ଜଳ ପୁରସ୍କାର’ ବିଜେତା ହୋଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସମସ୍ତେ ଜାଣିବାର ଏକ ସୁନ୍ଦର ଅବକାଶ ସୃଷ୍ଟି ହୋଇଛି।
‘ଜଳର ନୋବେଲ ପୁରସ୍କାର’ ନାମରେ ପରିଚିତ ଷ୍ଟକ୍ହୋମ ଜଳ ପୁରସ୍କାର ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଜଳ ସମ୍ୱନ୍ଧୀୟ ସମ୍ମାନ। ୧୯୯୧ରେ ଏହା ପ୍ରତିଷ୍ଠା ହୋଇଥିଲା। ବିଶ୍ୱର ଜଳ ସମ୍ପଦର ସଦ୍ବ୍ୟବହାର ଓ ସୁରକ୍ଷା ପାଇଁ ଅବଦାନ ରଖୁଥିବା ବ୍ୟକ୍ତି ଓ ସଙ୍ଗଠନଗୁଡ଼ିକୁ ସେବେଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି।
ଷ୍ଟକ୍ହୋମ ଜଳ ଫାଉଣ୍ଡେଶନ ଏହି ପୁରସ୍କାରକୁ ରୟାଲ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ ସହଯୋଗରେ ପ୍ରଦାନ କରେ।
ବିଶ୍ୱ ଜଳ ଦିବସ ପୂର୍ୱରୁ ବିଜେତାଙ୍କ ନାମ ଘୋଷଣା କରାଯାଏ ଓ ଅଗଷ୍ଟରେ ‘ବିଶ୍ୱ ଜଳ ସପ୍ତାହ’ ସମୟରେ ଷ୍ଟକ୍ହୋମରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସମ୍ମାନ ପ୍ରଦାନ କରାଯିବାର ବିଧି ରହିଛି।
ମଦାନୀ ଇରାନ୍ ରାଜଧାନୀ ତେହରାନ୍ରେ ୧୯୮୧ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାପିତା ଜଳ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ସେ ତେହରାନ୍ରେ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିଥିଲେ ଏବଂ ୨୦୦୩ରେ ଉତ୍ତର-ପଶ୍ଚିମ ଇରାନ୍ର ତାବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ବିଏସ୍ସି ଡିଗ୍ରୀ ହାସଲ କରିଥିଲେ। ପରେ ସ୍ୱିଡେନ୍ର ଲ୍ୟୁଣ୍ଡ୍ ବିଶ୍ୱବିଦ୍ୟାଳୟରୁ ଜଳ ସମ୍ପଦରେ ଏମ୍ଏସ୍ସି ଏବଂ ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟାଲ ଇଞ୍ଜିନିୟରିଂରେ ପିଏଚ୍ଡି କରିଥିଲେ। ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଓ୍ୱାଟର ସାଇନ୍ସ ଆଣ୍ଡ୍ ପଲିସି ସେଣ୍ଟାରରୁ ପରିବେଶ ନୀତି ଓ ଅର୍ଥନୀତିରେ ପୋଷ୍ଟ-ଡକ୍ଟରାଲ ମଧ୍ୟ କରିଥିଲେ।
୨୦୧୦ ଆଡ଼କୁ ମଦାନୀ ସେଣ୍ଟ୍ରାଲ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରେ ସିଭିଲ, ଏନଭାଇରନ୍ମେଣ୍ଟାଲ ଆଣ୍ଡ୍ କନ୍ଷ୍ଟ୍ରକ୍ଶନ ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ପ୍ରଫେସର ଥିଲେ, ଯେଉଁଠାରେ ସେ ହାଇଡ୍ରୋ-ଏନ୍ଭାଇରନ୍ମେଣ୍ଟାଲ ଏଣ୍ଡ୍ ଏନର୍ଜି ସିଷ୍ଟମ୍ସ ଆନାଲିସିସ (ଏଚ୍ଇଇଏସ୍ଏ) ଗବେଷଣା ଗ୍ରୁପ୍ ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ।
୨୦୧୩ରେ ସେ ଇମ୍ପେରିଆଲ କଲେଜ ଲଣ୍ଡନର ସେଣ୍ଟର ଫର୍ ଏନଭାଇରନ୍ମେଣ୍ଟାଲ ପଲିସିରେ ଯୋଗ ଦେଇଥିଲେ। ସେଠାରେ ସେ ୨୦୧୩ରୁ ୨୦୧୭ଯାଏ ବିଭିନ୍ନ ପଦବୀରେ ରହି ସିଷ୍ଟମ୍ସ ଆନାଲିସିସ ଓ ପଲିସିରେ ରିଡର ଭାବରେ କାର୍ଯ୍ୟ କରିଥିଲେ।
ଜଣେ ଶିକ୍ଷାବିତ୍ ଓ ପରିବେଶବିତ୍ ଭାବେ ତାଙ୍କ କାର୍ଯ୍ୟ ଅନ୍ତର୍ଜାତୀୟ ସ୍ୱୀକୃତି ପାଇବାକୁ ଲାଗିଥିଲା। ମଦାନୀ ୨୦୧୭ରେ ଇରାନ୍ର ପୂର୍ୱତନ ଉପରାଷ୍ଟ୍ରପତି ଇସା କଲାନ୍ତାରୀଙ୍କ ଦ୍ୱାରା ଇରାନ୍ ପରିବେଶ ବିଭାଗର ଅନ୍ତର୍ଜାତୀୟ ବ୍ୟାପାର, ଉଦ୍ଭାବନ ଓ ସାମାଜିକ-ସାଂସ୍କୃତିକ ସଂଯୋଗର ଡେପୁଟି ଭାବରେ ନିଯୁକ୍ତ ହୋଇଥିଲେ। ଇରାନ ପହଞ୍ଚିବା ମାତ୍ରେ ସେ ଇସ୍ଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ (ଆଇଆର୍ଜିସି) ଅଧିକାରୀଙ୍କ ଦ୍ୱାରା କିଛି ଘଣ୍ଟା ନଜରବନ୍ଦୀ ହୋଇଥିଲେ। ଏପରିକି ତାଙ୍କ ଫୋନ ଓ କମ୍ପ୍ୟୁଟର ମଧ୍ୟ ଜବତ କରାଯାଇଥିଲା। ସମୟକ୍ରମେ ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ସେ ଇରାନ୍ ଡେପୁଟି ଭାଇସ୍-ପ୍ରେସିଡେଣ୍ଟ ହୋଇଥିଲେ। ବିଚାରଧାରା ଓ ପରିବେଶ ସମ୍ୱନ୍ଧୀୟ ଉତ୍ତମ କାର୍ଯ୍ୟ ପାଇଁ ସେ ଇରାନ୍ର ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ଆଲୋଚନା ଜାତୀୟ କମିଟିର ଅଧ୍ୟକ୍ଷ ସହ ଇରାନ-ଆଫଗାନିସ୍ତାନ ଜଳ ଉପରେ ଆଲୋଚନା କାର୍ଯ୍ୟଦଳର ସଦସ୍ୟ ଥିଲେ। ସେ ଇରାନ୍ର ପ୍ରମୁଖ ପରିବେଶ କୂଟନୈତିକ ଭାବେ ନିଜର ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ହେଲେ ୨୦୧୮ ଫେବୃଆରୀରେ ଆଇଆର୍ଜିସି ଦ୍ୱାରା ଗିରଫ ହୋଇଥିଲେ। ଏପ୍ରିଲରେ ସେ ରାଜନୈତିକ ପଦ ସହ ଦେଶ ମଧ୍ୟ ଛାଡ଼ି ଦେଇଥିଲେ।
ଜଳ, ପରିବେଶ ଓ ସ୍ୱସ୍ଥ୍ୟ ସଂକ୍ରାନ୍ତୀୟ ଜାତିସଂଘ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାନ(ୟୁଏନ୍ୟୁ-ଆଇଏନ୍ଡବ୍ଲ୍ୟୁଇଏଚ୍)ର ନିର୍ଦ୍ଦେଶକ ମଦାନୀଙ୍କୁ ୨୦୨୬ର ଷ୍ଟକ୍ହୋମ ଜଳ ପୁରସ୍କାରର ବିଜେତା ଘୋଷଣା କରାଯିବା ପରେ ସେ କହିଛନ୍ତି, ‘ମୁଁ ଆଶା କରୁଛି ଯେ ଏବର ବିଭାଜିତ ବିଶ୍ୱ ମଧ୍ୟରେ ଏହି ସମ୍ମାନ ଓ ବିଶ୍ୱ ଜଳ ଦିବସ ସ୍ମରଣୀୟ ହେବ। ଜଳ ରାଜନୀତି ପାଇଁ ଅପେକ୍ଷା କରେ ନାହିଁ। ଜଳ ଦେବାଳିଆ (ଓ୍ୱାଟର ବାଙ୍କରପ୍ଟସି) ଏକ ସାଧାରଣ ବିପଦ ଯାହା ପ୍ରତ୍ୟେକ ସୀମାକୁ ଅତିକ୍ରମ କରିଥାଏ। ଏହା ଏକ ଅବସ୍ଥାକୁ ବୁଝାଏ, ଯେଉଁଠାରେ ଜଳ ଅଭାବ ଆଉ ଅସ୍ଥାୟୀ ସଙ୍କଟ ନୁହେଁ, ବରଂ ଦୀର୍ଘକାଳୀନ ପ୍ରଣାଳୀଗତ ବିଫଳତାର ପ୍ରତିଫଳନ’।
‘ଗ୍ଲୋବାଲ ଓ୍ୱାଟର ବାଙ୍କରପ୍ଟସି ରିପୋର୍ଟ’ର ଲେଖକ ମଦାନୀ ଯୁକ୍ତି ବାଢ଼ିଛନ୍ତି ଯେ, ବିଶ୍ୱ ୨୦୨୬ ଜାନୁଆରୀରେ ପୃଥିବୀବ୍ୟାପୀ ଜଳ ଦେବାଳିଆ ଯୁଗରେ ପ୍ରବେଶ କରିଛି, ଅନେକ ନଦୀ ଅବବାହିକା ଓ ଜଳଭଣ୍ଡାର ଐତିହାସିକ ସ୍ତରକୁ ପୁନରୁଦ୍ଧାର କରିବାରେ ଅସମର୍ଥ। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଏହି ପରିପ୍ରେକ୍ଷୀରେ ସେ ଉକ୍ତ ପୁରସ୍କାରକୁ ଇରାନ୍ବାସୀଙ୍କ ସହ ଅନ୍ୟ ଯେଉଁମାନେ ତାଙ୍କ ସହ ରହିଥିଲେ ସେମାନଙ୍କୁ ଉତ୍ସର୍ଗ କରିଛନ୍ତି। ଯୁଦ୍ଧ ଜର୍ଜରିତ ଇରାନରେ ଜନ୍ମିତ ମଦାନୀ ନିରାପଦ ଜଳ ପାଇଁ ଯେଉଁଭଳି ପଦକ୍ଷେପ ନେଇ ଶାନ୍ତିର ବାର୍ତ୍ତା ଦେଉଛନ୍ତି, ସେ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।