ଗଞ୍ଜାମ,୮।୧୦ (ଅଖିଳ ତରାଇ) : ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ହରିପୁର ବୁରୁଡି ଅଞ୍ଚଳରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି। ରାତିରେ କେହି ଦୁର୍ବୃତ୍ତ ଚାଷ ଜମିରୁ ପାଣି ମଟର ଚୋରି କରି ନେଇଯାଇଛନ୍ତି। ଫଳରେ ପ୍ରାୟ ୫ରୁ ୬ ଜଣ ଚାଷୀ ପ୍ରଭାବିତ ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଚାଷୀମାନଙ୍କ ମଧ୍ୟରେ ଆତଙ୍କ ଓ କ୍ଷୋଭ ସୃଷ୍ଟି କରିଛି।
ଚାଷୀ ସୁକାନ୍ତ ଦଳାଇ ଓ ଶ୍ରବଣ ଦଳାଇ କହିଛନ୍ତି ଯେ, ସକାଳେ ଜମିରେ ପାଣି ମଡାଇବା ପାଇଁ ଯାଇଥିବା ବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାଣି ମଟର ଗୁଡିକ ଏହାର ସ୍ଥାନରେ ନ ଥିଲା । ସେମାନେ କଠିନ ପରିଶ୍ରମ କରି ଏହି ମଟର କିଣିଥିଲେ। ସେଗୁଡ଼ିକ ଚୋରି ହେବା ପରେ ଏବେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ବୋଲି ସୁକାନ୍ତ କହିଛନ୍ତି। ଶ୍ରବଣ ମଧ୍ୟ କହିଛନ୍ତି ଯେ, ଏହି ଚୋରି ଏକ ସଙ୍ଗଠିତ ଗ୍ୟାଙ୍ଗର କାର୍ଯ୍ୟ ହୋଇପାରେ, କାରଣ ଏକାଧିକ ଜମିରୁ ଏକାବେଳେ ଚୋରି ହୋଇଛି ।
ଅନ୍ୟ ଚାଷୀମାନେ ମଧ୍ୟ ଏହି ଅଭିଯୋଗରେ ସହମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିଥିବା କୁହାଯାଉଛି। ଚାଷୀମାନେ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। ସରକାରୀ ସ୍ତରରେ ସୁରକ୍ଷା ବ୍ୟବସ୍ଥା ଦାବି କରିଛନ୍ତି। ଯଦି ତୁରନ୍ତ କିଛି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇପାରେ, ଯାହାକୁ ନେଇ ଚାଷୀମାନେ କ୍ଷତି ସହିବେ ବୋଲି ଆଶଙ୍କା କରାଯାଉଛି।