ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା‘ମୋନ୍ଥା’ ପ୍ରଭାବରେ ମଙ୍ଗଳବାର ସକାଳୁ ତୁହାକୁ ତୁହା ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡିସ୍ଥିତ ଘୋଡାହାଡ ଡ଼୍ୟାମରୁ ସ୍ପିଲ ୱେ ମୁଖ୍ୟ ଫାଟକର ୨ଟି ଗେଟ୍ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ାଯାଉଥିବା ବେଳେ ଡ଼୍ୟାମ ଅଞ୍ଚଳରେ ସା ସୁଦ୍ଧା ୪୬ ମି. ମି ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଜଣାଇଛନ୍ତି । ଡ଼୍ୟାମର ଉପରମୁଣ୍ଡରେ ଗତ ୨ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାରୁ ଡ଼୍ୟାମ ମଧ୍ୟକୁ ବିଭିନ୍ନ ନଦୀ ନାଳରୁ ଘଣ୍ଟା ପ୍ରତି ୧୫୫ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଡ଼୍ୟାମରୁ ଘଣ୍ଟା ପ୍ରତି ୧୦୨ କ୍ୟୁସେକ ଜଳକୁ ନଦୀ ଗର୍ଭକୁ ଛଡାଯାଉଛି। ନଦୀର ଜଳସ୍ତର କ୍ରମଶଃ ବଢ଼ିବାରେ ଲାଗିଛି। ନଈକୂଳିଆ ଗୋଲଣ୍ଡା,ମଧୁବନ, ସେବକ ଟିକରପଡ଼ା,କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ,ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା ,ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର,ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କୌଣସି ମତେ ନଦୀ ମଧ୍ୟକୁ ନ ଯିବା ସହ କୌଣସି ଗୃହପାଳିତ ପ୍ରାଣୀ ମାନଙ୍କୁ ନଛାଡିବା ପାଇଁ ଜଳସମ୍ପଦ କର୍ମଚାରୀଙ୍କ ପକ୍ଷରୁ ଗାଁ କୁ ଗାଁ ବୁଲି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରରେ ୮୩ ଭାଗ ଅର୍ଥାତ୧୧୬.୩୦ ମିଟର ପାଣି ଗଚ୍ଛିତ ରହିଥିବା ଉପ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।