ବିପଦ ସଂକେତ ଉପରେ ଜଳସ୍ତର, ଶତାଧିକ ହେକ୍ଟର ଚାଷ ଜମି ଜଳାର୍ଣ୍ଣବ

ବାଲେଶ୍ୱର,୨୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଶନିବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀଠାରେ ନଦୀର ସତର୍କ ସଙ୍କେତ ୬ ମିଟର ଓ ବିପଦ ସଂକେତ ୬.୫ ମିଟର ରହିଛି । ଦିନ ୧୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୨୦ ମିଟରରେ ପ୍ରବାହିତ ହେଉଛି । ଫଳରେ ଜଳକାରେ ପୁଣି ବନ୍ୟା ଦେଖାଦେଇଛି । ବସ୍ତା ଓ ସଦର ବ୍ଲକର ଶତାଧିକ ହେକ୍ଟର ଚାଷଜମି ଜଳାର୍ଣ୍ଣବ ହୋଇଛି । ଏବେ ଚାଷ କାମ ଜୋରସୋର ଚାଲିଥିବାବେଳେ ଏହି ବନ୍ୟା ଚାଷୀଙ୍କୁ ଦୁର୍ଦ୍ଦଶା ଆଣିଦେଇଛି । ଭୟଭୀତ ଅବସ୍ଥାରେ ରହିଛନ୍ତି ନଦୀ କୁଳିଆ ବାସିନ୍ଦା । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି । ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର,ମୋରଡା, ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର । କୁଡ଼ିଆ ଛକ,ମଥାନି ଚଟାଣ, ଗହୀର ସିମୁଳିଆ ଓ ରାଉତପଡା ରାସ୍ତାର ପଳାସିଆ ରାସ୍ତାରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅପରପକ୍ଷରେ ବସ୍ତା ଥାନା ଓ ଏସଡିପିଓଙ୍କ ଅଫିସରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।