ଦିଲ୍ଲୀରେ ଲୋକଙ୍କ ଘରେ ପଶିଲା ପାଣି

ନୂଆଦିଲ୍ଲୀ,୩ା୯: ସମଗ୍ର ଉତ୍ତର ଭାରତରେ ବର୍ଷା ବିତ୍ପାତ ଲାଗିରହିଥିବାବେଳେ ଜମ୍ମୁ-କଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବନ୍ୟା ଆସି ବ୍ୟାପକ ଧନଜୀବନ କ୍ଷତି ହୋଇଛି। ବହୁ ରାସ୍ତା ପାଣିରେ ବୁଡ଼ିରହିବା ସହ ଅନେକ ଘର ଭାସିଯାଇଛି। ବାଦଲଫଟା ବର୍ଷା ଯୋଗୁ ଗତ କିଛିଦିନ ମଧ୍ୟରେ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ହଠାତ୍‌ ବନ୍ୟା ଆସି ଅନେକ ଶହ ଲୋକଙ୍କ ଜୀବନ ଯାଇଛି। ଜମ୍ମୁ-କଶ୍ମୀରରେ ୧୨୨ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପଞ୍ଜାବ ବନ୍ୟାରେ ୨୯ ଜଣଙ୍କ ଜୀବନ ଯାଇଛି। ଅନେକ ହଜାରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ହିମାଚଳପ୍ରଦେଶରେ ହଠାତ୍‌ ବନ୍ୟା ଓ ଭୂସ୍ଖଳନରେ ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଥିବାରୁ ସେଠାରେ ମଧ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ମଙ୍ଗଳବାର ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଟ୍ରାନ୍ସ-ଯମୁନା ବେଲ୍ଟର ଖାଲୁଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି। ବ୍ୟାରେଜ୍‌ଗୁଡ଼ିକ କ୍ରମାଗତ ପାଣି ଛାଡ଼ୁଥିବାରୁ ଜଳପତ୍ତନ ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ପୁରୁଣା ଯମୁନା ବ୍ରିଜ୍‌ ନିକଟରେ ବିପଦ ସଙ୍କେତ ୨୦୫.୩୩ ମିଟର ହୋଇଥିବାବେଳେ ସେଠାରେ ୨୦୫.୮୧ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି ଓ ଏହା ଆହୁରି ବଢ଼ିବା ସମ୍ଭାବନା ରହିଛି।
ପ୍ରବଳ ବର୍ଷା ଲାଗିରହିଥିବାରୁ ମଙ୍ଗଳବାର ଜମ୍ମୁ-କଶ୍ମୀର, ଗୁରୁଗ୍ରାମ, ଉତ୍ତରପ୍ରଦେଶ ଓ ଚଣ୍ଡିଗଡ଼ରେ ସ୍କୁଲ୍‌ଗୁଡ଼ିକ ବନ୍ଦ ରହିଛି। ସୋମବାର ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ୨୦ କିଲୋମିଟର ବ୍ୟାପୀ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଫଳରେ ଗୁରୁଗ୍ରାମର ଘରୋଇ ଓ କର୍ପୋରେଟ୍‌ ଅଫିସ୍‌ଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଥିଲେ। ବନ୍ୟା ଯୋଗୁ ଦିଲ୍ଲୀ-ଏନ୍‌ସିଆର୍‌ର ବିଭିନ୍ନ ରାସ୍ତା ସମେତ ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡର ବହୁ ରାସ୍ତା ଅବରୋଧ ହୋଇଛି। ପଞ୍ଜାବରେ ଅଗଷ୍ଟରେ ୨୫୩.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ବାଭାବିକଠାରୁ ୭୪ ପ୍ରତିଶତ ଅଧିକ ଏବଂ ୨୫ ବର୍ଷ ମଧ୍ୟରେ ସର୍ବାଧିକ। ସେଠାର ୧୦ ଜିଲାରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ହୋଇଛି। ୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ରାଜସ୍ଥାନ ଓ ହରିୟାଣାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି।