ଭଞ୍ଜନଗର ଜଳଭଣ୍ଡାରରୁ ଛଡାଗଲା ପାଣି:  ସମ୍ଭାବ୍ୟ ବାତ୍ୟା ପାଇଁ ଉପଖଣ୍ଡ ପ୍ରଶାସନ ପ୍ରସ୍ତୁତ

ଭଞ୍ଜନଗର,୨୭।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ  ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଚଳାଇଛି। ବନ୍ୟା ପରିସ୍ଥିତି ହେଲେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ନେଇ ରଖାଯିବ ସେନେଇ ସ୍ଥାନ ଚିହ୍ନଟ ହୋଇଛି। ଓଡରାଫ ଟିମ୍‌ ମଧ୍ୟ ବିଭିନ୍ନ ସ୍ଥାନରେ ମୃତୟନ ହୋଇ ଅଛନ୍ତି। ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ଶୁକ୍ରବାର ରାତିରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ସମୟରେ ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷେ ଭଞ୍ଜନଗର ଜଳସମ୍ପଦ ବିଭାଗ ମୁଖ୍ୟ ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଛି।
ଅନ୍ୟପଟେ ଭଞ୍ଜନଗର ଜଳଭଣ୍ଡାରରୁ ଆଜକୁ ୩ ଦିନ ହେବ ବଳକା ପାଣି ଛଡ଼ା ଯାଉଛି। ଭଞ୍ଜନଗର ଜଳଭଣ୍ଡାରରେ ୮୫ ପ୍ରତିଶତ, ଡହ ଜଳ ଭଣ୍ଡାରରେ ୯୦ ପ୍ରତିଶତ, ସୋରଡାରେ ୯୦ ପ୍ରତିଶତ ଏବଂ ବାଘୁଆରେ ୯୦ ପ୍ରତିଶତ ପାଣି ରଖି ବଳକା ପାଣି ନିଷ୍କାସନ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଧେଶ ଦେଇଛନ୍ତି। ତେଣୁ ଭଞ୍ଜନଗର ଜଳଭଣ୍ଡାରରୁ ପାଣି ଛଡା ଯାଉଥିବା ବେଳେ ବଳକା ପାଣି ଛାଡ଼ିବା ପରେ ଶନିବାର ୯୦ ପ୍ରତିଶତ ଅଛି।
ସୋରଡ଼ାରେ ୯୮.୫ ପ୍ରତିଶତ ପାଣି ମହଜୁଦ ଅଛି। ସେଠାରେ ପରିସ୍ଥିତିକୁ ଦେଖି ପାଣି ଛାଡ଼ିବା ଯୋଜନା ଅଛି। ବାଘୁଆରେ ମାତ୍ର ୩୯ ପ୍ରତିଶତ ପାଣି ମହଜୁଦ ଅଛି। ତେଣୁ ସେଠାରେ ପାଣି ଆଉ ଛାଡ଼ିବା ଯୋଜନା ବର୍ତ୍ତମାନ ନାହିଁ। ଆବଶ୍ୟକ ବର୍ଷା ନ ଥିବା ଯୋଗୁ
ଭଞ୍ଜନଗର ଜଳଭଣ୍ଡାରରେ ଆଜକୁ ୫ ବର୍ଷ ହେବ ଶତ ପ୍ରତିଶତ ପାଣି ମହଜୁଦ ନ ଥିଲା। ତେଣୁ ଆବଶ୍ୟକସ୍ଥଳେ ମୁଖ୍ୟ ଫାଟକ ବାଟେ ଯାହାକିଛି ପାଣି ଛଡା ଯାଉଥିଲା। ତେଣୁ ୨୦୨୦ ମସିହା ଜୁଲାଇ ମାସରୁ ସ୍ପିଲୱେ ବାଟରେ ପାଣି ଛଡା ଯାଉନଥିଲା । ବର୍ତ୍ତମାନ ପାଣି ୯୨ ପ୍ରତିଶତ ଥିବା ଯୋଗୁଁ ସ୍ପିଲୱେ ବାଟେ ପାଣି ଛଡାଯାଉଛି। କିନ୍ତୁ ଲୋକେ କେତେକ ସ୍ଥାନରେ
କେନାଲ, ନଦୀ ଆଡିବନ୍ଧ ଜବରଦଖଲ କରି ରଖିଛନ୍ତି। ତେଣୁ ଅନେକ ସ୍ଥାନରେ ନଦୀ ଆଡ଼ିବନ୍ଧ ମରାମତିରେ ସମସ୍ୟା ରହିଛି। ଇତିମଧ୍ୟରେ ବିଭାଗ ପକ୍ଷରୁ ଜବରଦଖଲକରୀଙ୍କୁ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଛି। ଏନେଇ ଜଳସମ୍ପଦ ବିଭାଗର ଜଣେ ଅଧିକାରୀ ଏଠାରେ କହିଛନ୍ତି ଯେ, ଯେଉଁଠି ଜବରଦଖଲ ସମସ୍ୟା ରହିଛି ସେଠାରେ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି।