ଆନନ୍ଦପୁର,୧୫ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍ ଗୋହିରା ପଞ୍ଚାୟତ ଭୋଳନୁଆଗାଁ ହରିଜନ ସାହିରେ ମାଘ ମାସରେ ଜଳ ସଙ୍କଟ ଦେଖାଦେଇଛି। ପାଣି ମୁନ୍ଧେ ପାଇଁ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବ୍ଲକ୍ କର୍ତ୍ତୃପଷଙ୍କ ପର୍ଯ୍ୟନ୍ତ ଗୁହାରୀ କରି ନିରାଶ ହୋଇଥିଲେ। ଏ ନେଇ ଗୁରୁବାର ବହୁ ସଂଖ୍ୟାରେ ମହିଳା ଘଷିପୁରା ବିଡିଓଙ୍କୁ ଘେରି ପିଇବା ପାଣି ପାଇଁ ଦାବି କରିଛନ୍ତି।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମରେ ଥିବା ନଳକୂପ ଖରାପ ହୋଇଛି। ଗ୍ରାମକୁ ସରକାରୀ ଯୋଜନାରେ ଜଳ ଯୋଗାଣ ହେଉନି। ଅନ୍ୟ କୌଣସି ଜଳ ଉତ୍ସବ ନ ଥିବାରୁ ଲୋକେ ଚୁଆ ପାଣି ବ୍ୟବହାର କରୁଛନ୍ତି। ଫଳରେ ସାହିର ଲୋକେ ବହୁ ସମୟରେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ନେଇ ସାହିବାସିନ୍ଦା ବାରମ୍ବାର ପାଣି ପାଇଁ ଦାବି, ଧାରଣା କରିଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଏ ନେଇ ମହିଳା ବିଡିଓଙ୍କୁ ଭେଟି ଜଳ ଯୋଗାଣ ନିମନ୍ତେ ଦାବି କରିଥିଲେ। ଘଷିପୁରା ବିଡିଓ ବିନିତା ବିଜୟିନୀ କହିଛନ୍ତି, ଜଳ ଯୋଗଣା ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ।