ସିଡନୀ,୨୬।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତୀୟ ଦଳ ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କର ଦେଶଭକ୍ତି ଆଭିମୁଖ୍ୟ ଦେଖାଇ ସମସ୍ତଙ୍କ ହୃଦୟ ଜିତିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ଦୁଇଟି ମ୍ୟାଚ୍ରେ ଶୂନ୍ୟରେ ଆଉଟ ହେବା ପରେ ଶେଷ ମ୍ୟାଚ୍ରେ କୋହଲି ଅପରାଜିତ ୭୪ ରନ କରି ଫର୍ମକୁ ଫେରିଥିଲେ। ଫଳରେ ଭାରତ ୯ ଉଇକେଟରେ ବିଜୟ ହାସଲ କରିଥିଲା।
ମ୍ୟାଚ ପରେ ଡ୍ରେସିଂ ରୁମ୍କୁ ଫେରିବା ସମୟରେ କୋହଲି ସିଡନୀରେ ଉପସ୍ଥିତ ଭାରତୀୟ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଜଣେ ପ୍ରଶଂସକ ଜାତୀୟ ପତାକାକୁ ତଳେ ପକାଇ ଦେଇଥିବା ସେ ଦେଖିବାକୁ ପାଇଥିଲେ। କୋହଲି ତୁରନ୍ତ ପତାକା ଉଠାଇ ଦର୍ଶକଙ୍କୁ ଫେରାଇ ଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏହା କୋହଲିଙ୍କ ନିଜ ଦେଶ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ଅନେକେ କହୁଛନ୍ତି।
ଏହି ମ୍ୟାଚ୍ରେ କୋହଲି ଏବଂ ରୋହିତ ଶର୍ମା ଏକ ସ୍ମରଣୀୟ ପାର୍ଟନରସିପ୍ କରିଥିଲେ। ରୋହିତ ଅପରାଜିତ ୧୨୧ ରନର ଇନିଂସ କରିଥିଲେ। ସେହିଭଳି କୋହଲି ମଧ୍ୟ ୮୧ ବଲରୁ ଅପରାଜିତ ୭୪ ରନ କରିଥିଲେ, ଯେଉଁଥିରେ ସାତ ଚୌକା ସାମିଲ ଥିଲା। ଏହି ଇନିଂସ ମଧ୍ୟରେ ସେ ସଚିନ ତେନ୍ଦୁଲକରଙ୍କ ପରେ ଦିନିକିଆ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଥିଲେ। ଦୁଇ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରେ ୧୬୮ ରନର ଭାଗୀଦାରି ହୋଇଥିଲା। ଫଳରେ ୧୧.୩ ଓଭର ବାକି ଥାଇ ଭାରତ ୨୩୭ ରନର ଲକ୍ଷ୍ୟ ହାସଲ କରିଥିଲା।