ମୁମ୍ବାଇ,୭।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀ ଏକ ନୂଆ ଭିଡିଓରେ ଆକ୍ସନ ମୋଡରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓରେ ଧୋନୀ ଅଭିନେତା ଆର. ମାଧବନଙ୍କ ସହ ଦେଖା ଦେଇଛନ୍ତି। ଟିଜରରେ ଧୋନୀ କମାଣ୍ଡୋ ୟୁନିଫର୍ମରେ କଳା ଚଷମା ପିନ୍ଧି ଶତ୍ରୁଙ୍କ ଉପରେ ଗୁଳି ବର୍ଷା କରୁଥିବା ଦୃଶ୍ୟ ଫ୍ୟାନମାନଙ୍କୁ ଚକିତ କରିଛି।
ଆର. ମାଧବନ ଇନଷ୍ଟାଗ୍ରାମରେ ଏହି ଟିଜର ଶେୟାର କରି ଲେଖିଛନ୍ତି, “ଏକ ମିଶନ, ଦୁଇ ସାହସୀ। ରୋମାଞ୍ଚକର ଟାର୍ଗେଟ ପାଇଁ ପ୍ରସ୍ତୁତ।” ଧୋନୀଙ୍କୁ ‘କୁଲ ହେଡ୍’ ଓ ମାଧବନଙ୍କୁ ରୋମାଣ୍ଟିକ ଟାସ୍କ ଫୋର୍ସ ଅଫିସର ଭାବେ ଉପସ୍ଥାପନ କରାଯାଇଛି। ଏହା ଫିଲ୍ମ, ଓ୍ଵେବ ସିରିଜ ନା ବଡ଼ ବିଜ୍ଞାପନ ତାହା ସ୍ପଷ୍ଟ ହୋଇନାହିଁ, ଯାହା ରହସ୍ୟ ବଜାୟ ରଖିଛି।
ଫ୍ୟାନମାନେ ଉତ୍ସାହିତ ହୋଇ କମେଣ୍ଟ କରୁଛନ୍ତି, “ଥାଲା କ’ଣ ଏବେ ହିରୋ ହୋଇଗଲେ ?” ଜଣେ ଲେଖିଛନ୍ତି, “ମଇଦାନରେ ଫିନିସର ଥିବା ଧୋନୀ ଏବେ ପରଦାରେ ଆକ୍ସନ ହିରୋ।” ଏହା ପୂର୍ବରୁ ଧୋନୀ ତାମିଲ ଫିଲ୍ମ ‘ଗୋଟ’ରେ ଛୋଟ ଭୂମିକାରେ ଦେଖା ଦେଇଥିଲେ, କିନ୍ତୁ ଏତେ ବଡ଼ ଭୂମିକାରେ ଏହା ତାଙ୍କର ପ୍ରଥମ ପ୍ରୟାସ। ଟିଜରରେ ‘କମିଂ ସୁନ’ ଲେଖା ସହ ଫ୍ୟାନମାନେ ଏହା ଫିଲ୍ମ ନା ସିରିଜ ଜାଣିବାକୁ ଅପେକ୍ଷା କରିଛନ୍ତି।