Watch Video: ଭୂକମ୍ପ ପୀଡିତଙ୍କ ଉଦ୍ଧାର କାର୍ଯ୍ୟ କରୁଥିବା କୋଷ୍ଟଗାର୍ଡ ବିମାନ ସହ ଯାତ୍ରୀବାହୀ ବିମାନ ଧକ୍କା: ୫ ମୃତ…

ଟୋକିଓ,୨।୧ : ନୂଆ ବର୍ଷରେ ହୋଇଥିବା ବଡ଼ ଧରଣର ଭୂକମ୍ପ ପରେ ଜାପାନର ଆଉ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ରନୱେରେ ଅବତରଣ କରୁଥିବାବେଳେ ଜାପାନର ଟୋକିଓର ହାନେଡା ବିମାନବନ୍ଦରରେ ମଙ୍ଗଳବାର କୋଷ୍ଟଗାର୍ଡ ବିମାନ ସହିତ ଜାପାନ ଏୟାରଲାଇନ୍ସର ଏକ ବିମାନ ମୁହାଁମୁହିଁ ଧକ୍କା ହୋଇଛି।

ଏହା ପରେ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। କୁହାଯାଉଛି ଯାତ୍ରୀବାହୀ ବିମାନରେ ୩୭୯ ଜଣ ଯାତ୍ରୀ ଥିଲେ। ଏଥି ସହିତ କୋଷ୍ଟଗାର୍ଡ ବିମାନରେ ୬ ଜଣ ଲୋକ ଥିଲେ, ସେମାନମଧ୍ୟରୁ ଜଣେ ବାହାରକୁ ଖସି ପଳାଇବାରେ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ବିମାନର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜାପାନ ଏୟାରଲାଇନ୍ସ କହିଛି ବିମାନର ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରେ ଆଠ ଜଣ ପିଲା ଏବଂ ୧୨ ଜଣ କ୍ରୁ ସଦସ୍ୟ ଅଛନ୍ତି। ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।

ଭିଡ଼ିଓ ଫୁଟେଜରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରୁଥିବା ବେଳେ ବିମାନର ଇଞ୍ଜିନ ଅଞ୍ଚଳ ନିକଟରୁ ନିଆଁ ଲାଗିଥିବାର ଦେଖାଯାଉଛି। ୭୦ ଟି ଅଗ୍ନିଶମ ବାହିନୀ ପଠାଯାଇଥିଲା । କିନ୍ତୁ, ସ୍ଥାନୀୟ ସମୟ ସନ୍ଧ୍ୟା ସାଢ଼େ ୬ ଟା ସୁଦ୍ଧା ବିମାନଟି ସଂପୂର୍ଣ୍ଣ ନିଆଁରେ ପୋଡି ହୋଇଯାଇଥିଲା। ବିମାନ ବନ୍ଦରର ସମସ୍ତ ରନୱେକୁ ବନ୍ଦ ରଖାଯାଇଛି।
ଦେଶର ନ୍ୟୁଜ ଏଜେନ୍ସି କ୍ୟୋଡୋ ନ୍ୟୁଜ ଅନୁଯାୟୀ ଜାପାନ ଏୟାରଲାଇନ୍ସ କହିଛି ଯାତ୍ରୀବାହୀ ବିମାନଟି ରନୱେରେ ଅନ୍ୟ ଏକ ବିମାନ ସହିତ ଧକ୍କା ଦେଇଥିଲା କିମ୍ବା ଅବତରଣ କରିବା ପରେ ଟ୍ୟାକ୍ସିୱେ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ସେନେଇ ତଦନ୍ତ କରାଯାଉଛି। ଜମି, ଭିତ୍ତିଭୂମି, ପରିବହନ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ କରୁଥିବା କହିଛନ୍ତି।