ସୋସିଆଲ ମିଡିଆରେ ଲାଇକ୍‌ ପାଇଁ ମୃତ୍ୟୁର ଖେଳ, ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଦେଖିଲେ…

କିଛି ଲୋକ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ଟ୍ରାକ୍‌ରେ ଶୋଇ ରିଲ୍‌  କରୁଛନ୍ତି, ଏବଂ ଏକ ଦ୍ରୁତଗାମୀ ଟ୍ରେନ୍‌ ତାଙ୍କ ଉପରେ ଚାଲିଯାଉଛି। ଏହା ପ୍ରକୃତରେ ଏକ ହୃଦୟ ବିଦାରକ ଭିଡିଓ। ଯାହା ୟୁଜର୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭିଡିଓରେ ଜଣେ ଯୁବକ ଟ୍ରାକ୍‌ରେ ଆଣ୍ଠୁ ମାଡ଼ି ବସିଥିବାର ଦେଖିବାକୁ ମିଳୁଛି, ଯେତେବେଳେ ଉକ୍ତ ଟ୍ରାକ୍‌ରେ ସାମ୍ନାରୁ ଏକ ଟ୍ରେନ ଆସୁଛି ସେତେବେଳେ ଯୁବକ ଜଣକ ନିର୍ଭୟରେ ଟ୍ରାକ୍‌ରେ ଶୋଇପଡୁଛନ୍ତି। ସେ ଭାବି ମଧ୍ୟ ନାହାନ୍ତି ଯେ ଏହି ବିପଦପୂର୍ଣ୍ଣ ଷ୍ଟଣ୍ଟ ଯୋଗୁ ତାଙ୍କ ଜୀବନ ଚାଲିଯାଇପାରେ ବୋଲି।

ଭିଡିଓରେ ଦେଖିବେ ସମ୍ପୂର୍ଣ୍ଣ ଟ୍ରେନ୍‌ ତାଙ୍କ ଉପରେ ଚାଲିଯିବା ପରେ, ଯୁବକ ଜଣକ ଠିଆ ହୋଇ ଖୁସି ମନାଉଛନ୍ତି। ଯେମିତି ଏକ ମହାନ କାମ କରି ଗଡ଼ ଜିତିଛନ୍ତି। ଯୁବକଙ୍କ କାର୍ଯ୍ୟକୁ ଦେଖି କୁହାଯାଇପାରେ ଯେ, ସେ ମୃତ୍ୟୁ ମୁହଁରୁ ଫେରିବା ପରେ ନିଜକୁ ଜଣେ ମହାନ ଯୋଦ୍ଧା ଭାବୁଛନ୍ତି। ଏହି ଭିଡିଓ କେବେ ଏବଂ କେଉଁଠାରେ ରେକର୍ଡ ହୋଇଛି ସେ ବିଷୟରେ କୌଣସି ସୂଚନା ନାହିଁ।

ଏହି ଲୋମ ଟାଙ୍କୁରା ଷ୍ଟଣ୍ଟ ଭିଡିଓଟି X (ପୂର୍ବ ଟ୍ବିଟର) ହ୍ୟାଣ୍ଡେଲ @nidhiambedkarରେ ଶେୟାର କରାଯାଇଛି। ଭିଡିଓଟିକୁ ଏପର୍ଯ୍ୟନ୍ତ ୪ ଲକ୍ଷ ୭୦ ହଜାରରୁ ଅଧିକ ଥର ଦେଖାଯାଇଛି। ଏହାକୁ ଦେଖିବା ପରେ ୟୁଜର୍ସମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ୟୁଜର କହିଛନ୍ତି, ଏପରି ଲୋକଙ୍କୁ ଜେଲଦଣ୍ଡ ଦିଆଯିବା ଉଚିତ୍‌। ଅନ୍ୟ ଜଣେ କହିଛନ୍ତି, ଏହା ମୁର୍ଖତାର ଚରମ ସୀମା। ଅନ୍ୟ ଜଣେ ଲେଖିଛନ୍ତି, ଭାଇ, ଯେତେବେଳେ ସେ ଜୀବିତ ନାହାନ୍ତି, ସେ ଭ୍ୟୁ ଏବଂ କମେଣ୍ଟ ଦେଇ କ’ଣ କରିବେ।