ଗର୍ଭବତୀ ହୋଇ ୧୪୫ କି.ଗ୍ରା. ଉଠାଇ ବ୍ରୋଞ୍ଜ ଜିତିଲେ ଦିଲ୍ଲୀ ପୋଲିସ କନଷ୍ଟେବଳ

ନୂଆଦିଲ୍ଲୀ,୨୭।୧୦: ସାତ ମାସର ଗର୍ଭବତୀ ହୋଇ ଦିଲ୍ଲୀ ପୋଲିସ କନଷ୍ଟେବଳ ସୋନିକା ଯାଦବ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ପୁଲିସ୍ ଓ୍ୱେଟଲିଫ୍ଟିଂ କ୍ଲଷ୍ଟର ୨୦୨୫-୨୬ରେ ୧୪୫ କି.ଗ୍ରା. ଡେଡଲିଫ୍ଟ କରି କାନ୍ସ୍ୟ ପଦକ ଜିତିଛନ୍ତି। ସେ ସ୍କ୍ୱାଟ୍‌ରେ ୧୨୫ କି.ଗ୍ରା. ଓ ବେଞ୍ଚପ୍ରେସ୍‌ରେ ୮୦ କି.ଗ୍ରା. ଉଠାଇଥିଲେ।

ମେ’ରେ ଗର୍ଭଧାରଣ ଜାଣିବା ପରେ ସ୍ୱାମୀ ଜିମ୍ ବନ୍ଦ କରିବାକୁ କହିଥିଲେ, କିନ୍ତୁ ସୋନିକା ଅଭ୍ୟାସ ଜାରି ରଖିଥିଲେ। ଡାକ୍ତରଙ୍କ ପରାମର୍ଶ ନେଇ ସୁରକ୍ଷିତ ଭାବେ ତାଲିମ ନେଇଥିଲେ। ଗର୍ଭାବସ୍ଥାରେ ଓଜନ ଉଠାଇଥିବା ଲୁସି ମାର୍ଟିନ୍ସଙ୍କଠାରୁ ଇନ୍‌ଷ୍ଟାଗ୍ରାମ୍‌ରେ ପରାମର୍ଶ ନେଇଥିଲେ।

ଢିଲା ପୋଷାକ ପିନ୍ଧି ଗର୍ଭ ଲୁଚାଇଥିବାରୁ ପ୍ରତିଯୋଗିତାରେ କେହି ଜାଣିନଥିଲେ। ସତ୍ୟ ପ୍ରକାଶ ପାଇବା ପରେ ଷ୍ଟାଡିଅମ୍‌ରେ କରତାଳି ଧ୍ୱନି ଶୁଣିବାକୁ ମିଳିଥିଲା; ଅନ୍ୟ ରାଜ୍ୟର ମହିଳା ପୋଲିସ ଅଧିକାରୀମାନେ ଅଭିନନ୍ଦନ ଜଣାଇ ଫଟୋ ଉଠାଇଥିଲେ।

୨୦୧୪ ବ୍ୟାଚ୍ କନ୍‌ଷ୍ଟେବଳ ସୋନିକା ବର୍ତ୍ତମାନ କମ୍ୟୁନିଟି ପୋଲିସିଂ ସେଲ୍‌ରେ କାର୍ଯ୍ୟରତ। ପୂର୍ବରୁ ମଜନୁ କା ଟିଲାରେ ଡ୍ରଗ୍ ଅପରାଧ ବିରୋଧରେ କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥିଲେ। ୨୦୨୨ରେ ଦିଲ୍ଲୀ ପୋଲିସ କମିଶନର ଓ ମହିଳା ଦିବସରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସମ୍ବର୍ଦ୍ଧିତ କରିଥିଲେ। ୨୦୨୩ରେ ଦିଲ୍ଲୀ ଷ୍ଟେଟ୍ ପାୱାରଲିଫ୍ଟିଂରେ ସ୍ୱର୍ଣ୍ଣ ଜିତିଥିଲେ।

Share