ମୁମ୍ବାଇ,୧୨।୧: ଆଗାମୀ ୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଭାରତ ପାଇଁ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟା ଇରା ଯାଦବ ରବିବାର (ଜାନୁଆରୀ ୧୨) ସୀମିତ ଓଭର ମ୍ୟାଚ୍ରେ ତ୍ରିଶତକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇ ଇତିହାସ ସୃଷ୍ଟି କରିଛନ୍ତି।
ଆଲୁର କ୍ରିକେଟ୍ ଗ୍ରାଉଣ୍ଡରେ ମେଘାଳୟ ବିପକ୍ଷରେ ଖେଳାଯାଇଥିବା ୧୯ ବର୍ଷରୁ କମ୍ ମହିଳା ଦିନିକିଆ କପ୍ ମ୍ୟାଚ୍ରେ ମୁମ୍ବାଇ ପାଇଁ ଇରା ୧୫୭ ବଲ୍ରୁ ୩୪୬ ରନ୍ କରି ଅପରାଜିତ ରହିଥିଲେ।
କ୍ରିଜରେ ରହିବା ସମୟରେ, ଇରା ୪୨ ଚୌକା ଏବଂ ୧୬ ଛକା ମାରିଥିଲେ ଏବଂ ଅଧିନାୟକ ହର୍ଲି ଗାଲା (୧୧୬)ଙ୍କ ସହିତ ଦ୍ୱିତୀୟ ୱିକେଟ ପାଇଁ ୨୭୪ ରନ ଏବଂ ଦୀକ୍ଷା ପାୱାର (୩୯)ଙ୍କ ସହିତ ତୃତୀୟ ୱିକେଟ ପାଇଁ ୧୮୬ ରନ ଯୋଡିଥିଲେ। ଇରାଙ୍କ ସୁପର ଶୋ ବଳରେ, ମୁମ୍ବାଇ ୫୦ ଓଭରରେ ତିନି ୱିକେଟ ହରାଇ ମୋଟ ୫୬୩ ରନ ସଂଗ୍ରହ କରିପାରିଥିଲା।
ଗତ ସପ୍ତାହରେ ମହିଳା ପ୍ରିମିୟର ଲିଗ୍ ୨୦୨୫ ନିଲାମରେ ବିକ୍ରି ନହୋଇଥିବା ମୁମ୍ବାଇର ଏହି ଯୁବ କ୍ରିକେଟର ବିସିସିଆଇ ଦ୍ୱାରା ଆୟୋଜିତ ସୀମିତ ଓଭର ଟୁର୍ଣ୍ଣାମେଣ୍ଟରେ ତ୍ରିଶତକ ହାସଲ କରିଥିବା ପ୍ରଥମ ଭାରତୀୟ (ପୁରୁଷ/ମହିଳା)।
୫୬୪ ରନର ଟାର୍ଗେଟର ଜବାବରେ, ମେଘାଳୟ ଦଳ ୨୫.୪ ଓଭରରେ କେବଳ ୧୯ ରନ କରିପାରିଥିଲା।