Categories: Home Leftଖେଳ

ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡକୁ ଟ୍ରୋଲ୍‌ କଲେ ଜାଫର୍‌

ନୂଆଦିଲ୍ଲୀ,୨୧।୧୦: ପୂର୍ବତନ ଭାରତୀୟ ତାରକା କ୍ରିକେଟର ଓ୍ବାସିମ ଜାଫର ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ମଧ୍ୟରେ ସର୍ବଦା କଥା କଟାକଟି ଦେଖିବାକୁ ମିଳିଥାଏ। ଉଭୟ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ପରସ୍ପର ଦେଶ ଏବଂ ଟିମ୍‌କୁ ନେଇ କିଛି ନା କିଛି କଟାକ୍ଷ କରିଥାନ୍ତି। ଏହି କ୍ରମରେ ଏବେ ଜାଫର ଇଂଲଣ୍ଡକୁ ଟ୍ରୋଲ କରିଛନ୍ତି।
ଜାଫର ଟି୨୦ ବିଶ୍ୱକପ୍‌ ପୂର୍ବରୁ ସମସ୍ତ ଟିମ୍‌ର ଖେଳାଳିକୁ ନେଇ ବିଶ୍ଳେଷଣ କରିଥିଲେ। ଏହାକୁ ନେଇ ଟୁଇଟରରେ ଏକ ପୋଷ୍ଟ ମଧ୍ୟ କରିଥିଲେ। ପୋଷ୍ଟରେ ସେ ଇଂଲଣ୍ଡର ଅଭାବ ବିଷୟରେ କହିଛନ୍ତି, ଯାହାକୁ ଶୁଣିଲେ ଆପଣ ହସ ରୋକି ପାରିବେ ନାହିଁ।

ପ୍ରଥମେ ଭାରତୀୟ ଟିମ୍‌ର ଅଭାବ ବିଷୟରେ ଜାଫର କହିଛନ୍ତି କି ତାଙ୍କ ପାଖରେ ୧୫୦ରୁ ଅଧିକ ଜୋର୍‌ରେ ବୋଲିଂ କରୁଥିବା ବୋଲର୍‌ ନାହିଁ। ପାକିସ୍ତାନ ଟିମ୍‌ରେ ଭଲ ଫିନିଶର୍‌ ନାହାନ୍ତି। ନ୍ୟୁଜିଲାଣ୍ଡ ଟିମ୍‌ର ଅଷ୍ଟ୍ରେଲିଆରେ ରେକର୍ଡ ଖରାପ ଅଛି। ଶ୍ରୀଲଙ୍କା ଟିମ୍‌ ପାଖରେ ଅନୁଭବୀ ସ୍କ୍ବାର୍ଡ ନାହିଁ। ଶେଷରେ ଇଂଲଣ୍ଡ ପାଖରେ ପ୍ରଧାନମନ୍ତ୍ରୀ ହିଁ ନାହାନ୍ତି ବୋଲି ଜାଫର ବେଶ ମଜାଳିଆ ଢ଼ଙ୍ଗରେ କହିଛନ୍ତି।ଜାଫରଙ୍କ ଏହି ଟୁଇଟ୍‌କୁ ବେଶ ପସନ୍ଦ କରାଯାଉଛି। ପ୍ରଶଂସକମାନେ ମଜାଦାର ଟିପ୍ପଣୀ ଦେଉଛନ୍ତି।

କହିରଖୁଛୁ, ଟି୨୦ ବିଶ୍ୱକପ୍‌ର ଆରମ୍ଭ ଅକ୍ଟୋବର ୨୨ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ତେବେ ଭାରତ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୩ରେ ଖେଳିବ।