Categories: Home Middleଖେଳ

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍ କ୍ୟାରିୟରର ଏହି ସଫଳତା ପଛରେ ରହିଛି ଜଣେ ଭାରତୀୟ ଦିଗ୍ଗଜଙ୍କ ହାତ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଏମ୍.ଏସ୍ ଧୋନି। ଉସ୍ମାନ ନିଜେ ଏହି ଚକିତ କଲା ଭଳି ଖୁଲାସା କରିଛନ୍ତି।

ଉସ୍ମାନ ତାରିକ୍‌ଙ୍କ ଜୀବନ ସଂଘର୍ଷରେ ଭରା ଥିଲା। ପରିବାରର ବୋଝ ମୁଣ୍ଡାଇବା ପାଇଁ ସେ କ୍ରିକେଟ୍ ଛାଡ଼ି ଦୁବାଇ ଚାଲିଯାଇଥିଲେ। ସେଠାରେ ସେ ଏକ ହୋଟେଲରେ ପିଆଜ କାଟିବା ଠାରୁ ଆରମ୍ଭ କରି ସେଲ୍ସମ୍ୟାନ୍ ଭାବେ କାମ କରୁଥିଲେ। ଉସ୍ମାନ କୁହନ୍ତି, “ମୁଁ କ୍ରିକେଟର ହେବାର ସ୍ୱପ୍ନ ପୂରାପୂରି ଛାଡ଼ି ଦେଇଥିଲି। କିନ୍ତୁ ଦିନେ ମୁଁ ଧୋନିଙ୍କ ବାୟୋପିକ୍ ‘MS Dhoni: The Untold Story’ ଦେଖିଲି। ଷ୍ଟେସନରେ ବସି ଧୋନି କେମିତି ନିଜ ଚାକିରି ଛାଡ଼ି କ୍ରିକେଟକୁ ବାଛିଲେ, ସେହି ଦୃଶ୍ୟ ମୋତେ ବହୁତ ପ୍ରଭାବିତ କରିଥିଲା। ଯଦି ସେ କରିପାରିଲେ, ମୁଁ କାହିଁକି ନୁହେଁ? ଏହି ଚିନ୍ତାଧାରା ମୋତେ ପୁଣି ପଡ଼ିଆକୁ ଫେରାଇ ଆଣିଲା।”

ଧୋନିଙ୍କ ଫିଲ୍ମରୁ ପ୍ରେରଣା ପାଇ ଉସ୍ମାନ ଦୁବାଇର ସେଲ୍ସମ୍ୟାନ୍ ଚାକିରି ଛାଡ଼ି ପାକିସ୍ତାନ ଫେରିଆସିଥିଲେ। ସେ କ୍ୟାରିବିୟନ୍ ପ୍ରିମିୟର ଲିଗ୍ (CPL)ରେ ୨୦ଟି ୱିକେଟ୍ ନେଇ ସମସ୍ତଙ୍କ ନଜରକୁ ଆସିଥିଲେ।

ଉସ୍ମାନ କୁହନ୍ତି ଯେତେବେଳେ ସେ ଗତବର୍ଷ ନିଜ ବିବାହରେ ବ୍ୟସ୍ତ ଥିଲେ, ସେତେବେଳେ ତାଙ୍କୁ ପାକିସ୍ତାନୀ ଟିମ୍‌ରେ ଚୟନ ନେଇ ଫୋନ୍ ଆସିଥିଲା। ପ୍ରଥମେ ତାଙ୍କୁ ଏହା ଏକ ପ୍ରାଙ୍କ୍ (ମଜା) ପରି ଲାଗିଥିଲା, କିନ୍ତୁ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱପ୍ନ ସତ ହୋଇଛି।

ଉସ୍ମାନ ଆମେରିକା (USA) ବିପକ୍ଷରେ ମାତ୍ର ୨୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଭାରତ ବିପକ୍ଷ ମ୍ୟାଚରେ ମଧ୍ୟ ସେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପରି ବଡ଼ ୱିକେଟ୍ ନେଇ ନିଜର ଶକ୍ତି ଜାହିର କରିଛନ୍ତି। ଧୋନିଙ୍କ ଜଣେ ବଡ଼ ପ୍ରଶଂସକ ଭାବେ ସେ ଆଜି ବିଶ୍ୱ କ୍ରିକେଟରେ ପାକିସ୍ତାନ ପାଇଁ ଏକ ନୂଆ ଅସ୍ତ୍ର ସାଜିଛନ୍ତି।

Share